ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ମେ ୨୪ ଯାଏଁ କାଳବୈଶାଖୀ ଆଶଙ୍କା । ଉପକୂଳ ସମେତ ଦକ୍ଷିଣ ଓଡିଶାରେ ତାଣ୍ଡବ ରଚିବ କାଳବୈଶାଖୀ । ଏହାର ପ୍ରଭାବରେ ପବନର ବେଗ ଘଣ୍ଟା ପ୍ରତି ପାଖାପାଖି ୫୦ରୁ ୬୦ ରହିବ । ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ । ସେପଟେ କାଳବୈଶାଖୀର ପ୍ରଭାବ ପଶ୍ଚିମ ଓଡିଶାର କେତେକ ସ୍ଥାନରେ ନଜର ଆସିପାରେ ବୋଲି ଅନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।
ସବୁ ଜିଲ୍ଲାରେ ଏଣିକି ପାଣିପାଗ ଆସ୍ତେ ଆସ୍ତେ ବଦଳିବ । ଜୁନ ୬ ବେଳକୁ ଓଡିଶାକୁ ମୌସୁମୀ ଛୁଇଁବାକୁ ଥିବାରୁ ଏହାପୂର୍ବରୁ ବର୍ଷା ମଧ୍ୟ ହୋଇପାରେ । ପ୍ରଥମେ ଦକ୍ଷିଣ ଓଡିଶାରେ ବର୍ଷା ଲାଗି ରହିବ । ଏହାପରେ ଉପକୂଳ ଓଡିଶା ଓ ଉତ୍ତର ଓଡିଶାକୁ ମୌସୁମୀ ଛୁଇଁବ । ଗତ ୪୮ଘଣ୍ଟା ମଧ୍ୟରେ ବହୁ ସ୍ଥାନରେ ବର୍ଷା ହୋଇଛି । ତେବେ କେତେକ ସ୍ଥାନରେ ହାଲକା ବର୍ଷା ମଧ୍ୟ ହୋଇଥିବା ଜଣାପଡିଛି । ଏପଟେ ପଶ୍ଚିମ ଓଡିଶାରେ ଏବେ ବି ତାତି ଅନୁଭୂତ ହେଉଛି ।