ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିଶ୍ୱର ପ୍ରଥମ କରୋନା ଟୀକା ଆଣିଛି ଋଷ । ଏହି ଟୀକାକୁ ରାଷ୍ଟ୍ରପତି ପୁଟିଙ୍କ ଝିଅଙ୍କୁ ପ୍ରଥମେ ଦିଆଯାଇଛି । ଋଷର ଏହି କରୋନା ଟୀକା ‘ସ୍ପୁଟିନିକ ଭି’ ପାଇଁ ୨୦ ରୁ ଅଧିକ ଦେଶ ଦାବି କରିଛନ୍ତି । ଋଷ ଡିରେକ୍ଟର ଇନଭେଷ୍ଟମେଣ୍ଟ ଫଣ୍ଡ (ଆରଡିଆଇଏଫ) ର ପ୍ରମୁଖ କିରିଲ ଦମିତ୍ରିବେ କହିଛନ୍ତି କି , ୨୦ ଟି ଦେଶ ଏହି ଟୀକାର କୋଟି କୋଟି ଡୋଜ ପାଇଁ ଦାବି କରିଛନ୍ତି । ଟୀକା ପାଇଁ ଦାବି କରିଥିବା ଦେଶ ଗୁଡିକ ମଧ୍ୟରେ ଲାଟିନ୍ ଆମେରିକା, ମଧ୍ୟପୂର୍ବ ଏବଂ କିଛି ଏସିଆ ଦେଶ ସାମିଲ ଅଛି । ଏହାସହିତ କିଛି ଦେଶ ସହିତ ଡିଲ ମଧ୍ୟ ହୋଇଯାଇଛି । ଟୀକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ୟୁଏଇ ଏବଂ ସାଉଦି ଆରବ ସମେତ ଅନ୍ୟ ଦେଶରେ କରାଯିବ ।
ସେ ଆହୁରି ମଧ୍ୟ କହିଛନ୍ତି କି ଏଣିକି ବିଦେଶୀ ସହଯୋଗୀଙ୍କ ସହାୟତାରେ ପାଞ୍ଚ ଦେଶରେ ପ୍ରତ୍ୟେକ ବର୍ଷ ଟୀକାର ୫୦ କୋଟି ଡୋଜ ପ୍ରସ୍ତୁତ କରାଯିବ । ସମସ୍ତ ଦେଶକୁ ଅପିଲ କରୁଛୁ କି ଉଚ୍ଚ ଗୁଣବତ୍ତା ବିଶିଷ୍ଟ ଏବଂ ସୁରକ୍ଷିତ ଟୀକା ନିଜ ଲୋକଙ୍କୁ ଦେଇ ଜୀବନ ବଞ୍ଚାଇବା ପାଇଁ ଆଗକୁ ବଢନ୍ତୁ ।
ଅନ୍ୟପଟେ ସ୍ୱାସ୍ଥ୍ୟମନ୍ତ୍ରୀ ମିଖାଇଲ ମୁରାସ୍ଖୋ ଦାବି କରିଛନ୍ତି କି , ଯେଉଁ ଟୀକା ବ୍ୟବହାର ହୋଇଛି ତାହା ଦୁଇ ବର୍ଷ ପର୍ଯ୍ୟନ୍ତ କରୋନା ଠାରୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିବ ।
ସେହିପରି ଉପ ପ୍ରଧାନମନ୍ତ୍ରୀ ତାତ୍ୟାନା ଗୋବିକୋବା କହିଛନ୍ତି କି, ଏହି ଟୀକା ଚଳିତ ମାସରେ ଡାକ୍ତରଙ୍କଠାରେ ବ୍ୟବହାର କରାଯିବ । ଗାମାଲେୟା ଇଂଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଏଲେକଜାଣ୍ଡର ଗିଟ୍ସବର୍ଗ ମେ ମାସରେ କହିଥିଲେ କି, ସେମାନେ ଏବଂ ଗବେଷଣକର୍ତ୍ତା ଟୀକାର ପରୀକ୍ଷଣ ନିଜ ଉପରେ କରିସାରିଛନ୍ତି ।