ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦୁଇ ସପ୍ତାହ ଭିତରେ ଆସିବ ଋଷ ର କରୋନା ଭ୍ୟାକ୍ସିନ ସ୍ପୁଟିନିକ ଭି ର ପ୍ରଥମ ବ୍ୟାଚ । ଏନେଇ ଋଷ ସ୍ୱାସ୍ଥ୍ୟମନ୍ତ୍ରୀ ମିଖାଇଲ ମୁରାସ୍ଖୋ କହିଛନ୍ତି କି, ଏହି ଭ୍ୟାକ୍ସିନକୁ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଏବଂ ଏହାପରେ ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ଦିଆଯିବ ।
ଋଷ କମ୍ପାନୀ ସିଷ୍ଟେମା ପକ୍ଷରୁ ଭ୍ୟାକ୍ସିନ ଉତ୍ପାଦନ ଆରମ୍ଭ ହୋଇଯାଇଛି । ଅକ୍ଟୋବରରେ ଋଷରେ ବହୁଳ ମାତ୍ରାରେ ଭ୍ୟାକ୍ସିନ ଲଞ୍ଚ କରିବାର ଯୋଜନା କରିଛନ୍ତି ସରକାର । ଋଷର ସ୍ୱାସ୍ଥ୍ୟମନ୍ତ୍ରାଳୟ ୱେବସାଇଟରେ ଦିଆଯାଇଥିବା ସୂଚନାନୁସାରେ ୧ ଜାନୁଆରୀ ୨୦୨୧ ରୁ ଭ୍ୟାକ୍ସିନ ର ପୂର୍ଣ୍ଣ ରୂପେ ବିତରଣ ଆରମ୍ଭ କରିବାର ଯୋଜନା ରହିଛି ।
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅନୁସାରେ ଟ୍ରେସିଙ୍ଗ ଆପ୍ ବି ପ୍ରସ୍ତୁତ ହେଉଛି । ଯାହାଦ୍ୱାରା ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ତଦାରଖ କରଯାଇ ପାରିବ । ଆପ୍ ଦ୍ୱାରା ସେହି ଲୋକଙ୍କ ଉପରେ ବି ନଜର ରଖାଯିବ, ଯାହାଙ୍କ ଠାରେ ଏହି ଭ୍ୟାକ୍ସିନ ବ୍ୟବହାର ହୋଇଛି । ଯଦି ସେମାନଙ୍କର କୌଣସି ପ୍ରକାରର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅସୁବିଧା ହୁଏ ତେବେ ଏହାର ସୂଚନା ଆଞ୍ଚଳିକ ସ୍ତରର ସ୍ୱାସ୍ଥ୍ୟ ସେବାକୁ ଦିଆଯିବ ।