ବାଲେଶ୍ୱର,(ଏଟିଆର ବ୍ୟୁରୋ): ବିଶ୍ୱସ୍ତରୀୟ ମଡେଲିଂ ପ୍ରତିଯୋଗିତାରେ କମାଲ ଦେଖାଇଛନ୍ତି ଓଡିଆ ଝିଅ । କେରଳରେ ଅନୁଷ୍ଠିତ ଏକ ଫ୍ୟାସନ ସୋ’ରେ ୧୨ବର୍ଷର ବାଲେଶ୍ୱର ଝିଅ କ୍ରିସିତା ସଫଳତା ହାସଲ କରିଛନ୍ତି । ଏହି ପ୍ରତିଯୋଗିତାରେ ଓଡିଶାରୁ ୪ଜଣ ଝିଅ ଭାଗ ନେଇଥିଲେ । ଯେଉଁଥିରେ ବାଲେଶ୍ୱର ସୁନ୍ଦରୀ କ୍ରିସିତା ବାଜିମାତ କରିଛନ୍ତି । ପ୍ରତ୍ୟେକ ରାଉଣ୍ଡରେ ତାଙ୍କର ନୂଆନୂଆ ରୂପ ସମସ୍ତଙ୍କୁ ଚକିତ କରିଥିଲା । ଫଳସ୍ୱରୂପ ଶେଷରେ ସେ ଚମ୍ପିୟନ ମୁକୁଟ ପିନ୍ଧିଛନ୍ତି ।
ଗତ ୨ବର୍ଷ ହେବ କ୍ରିସିତା ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଆସୁଥିବା ଜଣାପଡିଛି । ତାଙ୍କର କ୍ରମାଗତ ନିଷ୍ଠା ଓ ପରାକାଷ୍ଠା ତାଙ୍କୁ ଆଜି ଏହି ସଫଳତା ଆଣି ଦେଇଛି । କ୍ରିସିତା ବର୍ତ୍ତମାନ ବାଲେଶ୍ୱର ସେଣ୍ଟ ଭିନସେଣ୍ଟ ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ରୀ । ଛୁଆଟି ବେଳୁ ତାଙ୍କର ମଡେଲିଂ ପ୍ରତି ଦୁର୍ବଳତା ଥିବା ତାଙ୍କ ପରିବାର ଲୋକେ ଜଣାଇଛନ୍ତି । ପୂର୍ବରୁ ସେ ଅନେକ କାର୍ଯ୍ୟକ୍ରମରେ ସଫଳତା ମଧ୍ୟ ପାଇଛନ୍ତି । ଏବେ କ୍ରିସିତା ୱାର୍ଲଡ ଜୁନିୟର ମଡେଲ ଲାଗି ମନୋନୀତ ହୋଇଛନ୍ତି । ଫ୍ୟାସନ ଓ ମଡେଲିଂରେ ରୁଚି ରଖୁଥିବା କ୍ରିସିତା ଆଗାମୀ ଦିନରେ ମିସ ୱାର୍ଲଡ ହେବା ପାଇଁ ଲକ୍ଷ ରଖିଛନ୍ତି ।