ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପଞ୍ଚାଗ ଅନୁସାରେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥିରେ ଗଣେଶ ଚତୁର୍ଥି ପାଳନ କରାଯାଏ । ଏହି ପର୍ବ ଭଗବାନ ଗଣେଶଙ୍କ ଜନ୍ମ ଉତ୍ସବ ଭାବେ ପାଳିତ ହୋଇଥାଏ । ସେ ସୁଖ ସମୃଦ୍ଧିର ଦାତା, ସେ ବୁଦ୍ଧିର ବି ଦାତା । ତାଙ୍କ ବିନା କୌଣସି ଶୁଭ କାର୍ଯ୍ୟ ହୋଇପାରେନା । ସେ ହେଉଛନ୍ତି ବିଘ୍ନହର୍ତା । ସେଥିପାଇଁ ସର୍ବପ୍ରଥମେ ଭଗବାନ ଗଣେଶଙ୍କ ପୂଜାର୍ଚ୍ଚନା କରାଯାଇଥାଏ । ତେବେ ଏହା ପଛରେ ବି ରୋଚକ କଥା ରହିଛି । ତେବେ ଆଜି ଆସନ୍ତୁ ଜାଣିବା ସେ ବିଷୟରେ…
ପୌରାଣିକ କଥାନୁସାରେ ଗୋଟେ ଦିନ ଦେବତାଙ୍କ ପ୍ରତିନିଧି ମଣ୍ଡଳ, ସେମାନଙ୍କର କିଛି ସମସ୍ୟା ନେଇ ଭଗବାନ ଶିବଙ୍କ ନିକଟରେ ପହଁଚିଥିଲେ । ସେହିସମୟରେ ଭଗବାନ ଶିବଙ୍କ ନିକଟରେ ଗଣେଶ ଏବଂ କାର୍ତ୍ତିକ ମଧ୍ୟ ବସିଥିଲେ । ଦେବତାମାନଙ୍କ ସମସ୍ୟା ଶୁଣିବା ପରେ ଗଣେଶ ଏବଂ କାର୍ତ୍ତିକଙ୍କୁ ଭଗବାନ ଶିବ କହିଥିଲେ କି ତୁମ ଦୁଇଜଣଙ୍କ ମଧ୍ୟରୁ କିଏ ଦେବତାମାନଙ୍କ ସମସ୍ୟାର ସମାଧାନ କରିବ । ଏହାପରେ ଗଣେଶ ଏବଂ କାର୍ତ୍ତିକ ଏକସ୍ୱରରେ ହଁ କରିଥିଲେ । ଦେବତାଙ୍କ ସମସ୍ୟା ସମାଧାନ କରିବାକୁ ଉଭୟ ପ୍ରସ୍ତୁତ ହୋଇପଡିଥିଲେ । ଏହାପରେ ଭଗବାନ ଗଣେଶ ଏବଂ ଭଗବାନ କାର୍ତ୍ତିଙ୍କ ସାମ୍ନାରେ ଏକ ପ୍ରତିଯୋଗିତା ରଖିଲେ ଭଗବାନ ଶିବ ।
ଏହି ପ୍ରତିଯୋଗୀତା ଅନୁଯାୟୀ ଉଭୟଙ୍କୁ ପୃଥିବୀ ପରିକ୍ରମା କରିବାର ଥିଲା । ସର୍ତ ରହିଥିଲା କି ଯିଏ ପ୍ରଥମେ ପୃଥିବୀ ପରିକ୍ରମା କରି ଫେରିବ ସେ ହିଁ ଦେବତାମାନଙ୍କ ସମସ୍ୟାର ସମାଧାନ କରିବ । ଏତିକି ଶୁଣିବା ପରେ ଭଗବାନ କାର୍ତ୍ତିକ ମୟୂର ଉପରେ ବସି ପୃଥିବୀ ପରିକ୍ରମା କରିବା ପାଇଁ ବାହାରି ପଡିଲେ । କିନ୍ତୁ ଗଣେଶ ତାଙ୍କ ସ୍ଥାନରେ ଛିଡା ହୋଇ ବିଚାର କଲେ କି ମୂଷା ଉପରେ ବସି କିଭଳି ପୃଥିବୀ କରିହେବ । ସେହି ସମୟରେ ଗଣେଶଙ୍କ ମୁଣ୍ଡକୁ ଏକ ବୁଦ୍ଧି ଜୁଟିଥିଲା ଏବଂ ସେ ମାତା ପାର୍ବତୀ ଓ ପିତା ଶିବଙ୍କ ଚାରିପଟେ ପରିକ୍ରମା ଆରମ୍ଭ କରିଦେଇଥିଲେ । ସାତ ଥର ପରିକ୍ରମା କରିବା ପରେ ସେ ତାଙ୍କ ସ୍ଥାନରେ ଛିଡା ହୋଇ ଯାଇଥିଲେ । କିଛି ସମୟ ପରେ କାର୍ତ୍ତିକ ପୃଥିବୀ ପରିକ୍ରମା କରି ଫେରିଲେ ଏବଂ ଗଣେଶଙ୍କୁ ତାଙ୍କ ସ୍ଥାନରେ ଛିଡା ହୋଇଥିବା ଦେଖି ନିଜକୁ ବିଜେତା ବୋଲି କହିଥିଲେ ।
ସେହି ସମୟରେ ଗଣେଶଙ୍କ ଆଡକୁ ଅନାଇ ଭଗବାନ ଶିବ ପ୍ରଶ୍ନ କରିଥିଲେ କି ତୁମେ ପୃଥିବୀ ପରିକ୍ରମା କରିବାକୁ କାହିଁକି ଗଲ ନାହିଁ । ଶିବଙ୍କ ପ୍ରଶ୍ନର ଉତ୍ତର ଦେଇ ଗଣେଶ କହିଥିଲେ କି ମାତା ପିତା ବି ସଂସାର ଅଟନ୍ତି । ତେଣିକି ପୃଥିବୀ ପରିକ୍ରମା କର ବା ନିଜ ମାତା ପିତାଙ୍କ ପରିକ୍ରମା, ତାହା ସମାନ କଥା । ଗଣେଣଙ୍କ ଏହି ଉତ୍ତରରେ ଖୁବ୍ ପ୍ରସନ୍ନ ହୋଇଥିଲେ ଭଗବାନ ଶିବ ଏବଂ ମାତା ପାର୍ବତୀ । ଏହାପରେ ଗଣେଶଙ୍କୁ ଦେବତାମାନଙ୍କ ସମସ୍ୟାର ସମାଧାନ ପାଇଁ ଆଜ୍ଞା ଦେଇଥିଲେ । ସେବେଠାରୁ ଭଗବାନ ଗଣେଶଙ୍କୁ ପ୍ରଥମ ଦେବତା ରୂପେ ସ୍ତୁତି କରାଯାଏ । ଏହାସହିତ ଗଣେଶଙ୍କୁ ଭଗବାନ ଶିବ ଆର୍ଶିବାଦ କରିଥିଲେ କି ଯେଉିଁ ବ୍ୟକ୍ତି ଶୁଭକାର୍ଯ୍ୟ କରିବା ପୂର୍ବରୁ ଭଗବାନ ଗଣେଶଙ୍କୁ ପୂଜା କରିବେ ତାଙ୍କର ସମସ୍ତ ମନସ୍କାମନା ପୂରଣ ହେବ ।