ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଗରୁ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୋଟେ ସୁପରହିଟ୍ ଗୀତ ଗାଇବା ପାଇଁ ବାହାରୁ କଣ୍ଠଶିଳ୍ପୀ ମାନଙ୍କୁ ଡକା ଯାଉଥିଲା । ମାତ୍ର ଏବେ ଓଡିଆ ସିନେ ଜଗତରେ ଅନେକ ଲୋକପ୍ରିୟ କଣ୍ଠଶିଳ୍ପୀ ହୋଇଗଲେଣି । ଯେଉଁମାନଙ୍କ ଗୀତ ଆଜିକା ସମୟରେ ସୁପର ଡୁପର ହିଟ୍ ହେଉଛି । ଯାହାଫଳରେ ଆଉ ବାହାରୁ କଣ୍ଠଶିଳ୍ପୀ ଡକାଇବାର ଆବଶ୍ୟକ ନାହିଁ । ସେହି ଓଡିଆ ସିନେମାରେ ଗାଉଥିବା ଜଣେ କଣ୍ଠଶିଳ୍ପୀ ହେଲେ ଅନ୍ତରା ଚକ୍ରବର୍ତ୍ତୀ । ସବୁବେଳେ ସେ ତାଙ୍କର ସୁମଧୁର କଣ୍ଠରେ ଗୀତ ଗାଇ ଚର୍ଚ୍ଚାରେ ରହିଥାନ୍ତି । ଏବେ ପୁଣି ଥରେ ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଏଥରକ କୌଣସି ଓଡିଆ ଗୀତ ପାଇଁ ନୁହେଁ, ବରଂ ହିନ୍ଦୀ ସିନେମା ଗୀତକୁ ନେଇ ।
ଆଜ୍ଞା ହଁ, ଅନ୍ତରା ବିଗତ କିଛି ଦିନ ହେବ ବଲିଉଡରେ ଗୀତ ଗାଇବା ପାଇଁ ସୁଯୋଗ ଖୋଜୁଥିଲେ । ସେଥିପାଇଁ ସେ ଏବେ ମୁମ୍ବାଇରେ ରହୁଛନ୍ତି । ବର୍ତ୍ତମାନ ତାଙ୍କ ହାତରେ ଏକ ହିନ୍ଦୀ ସିନେମାରେ ଗୀତ ଗାଇବା ପାଇଁ ସୁଯୋଗ ମିଳିଛି । ଏହି ଫିଲ୍ମଟିର ଟାଇଟଲ ହେଉଛି ‘ପ୍ୟାର୍ ମେଁ ଜାରା ସମ୍ଭଲନା’ । ସେ ଏଥିରେ ଏକ ଗୀତରେ କଣ୍ଠଦାନ କରିଛନ୍ତି । ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଆଶିଷ ଏବଂ ଗିତୀକାର ହେଉଛନ୍ତି ସୁଲିମ କୁରେସୀ । ଏହି ଗୀତଟି ଏକ ଡୁଏଟ ଗୀତ, ସେଥିପାଇଁ ଅନ୍ତରାଙ୍କ ସହ ବଲିଉଡର ଖ୍ୟାତନାମା ଗାୟକ ଅରଜିତ୍ ସିଂଙ୍କ କଣ୍ଠ ଶୁଣିବାକୁ ମିଳିବ ବୋଲି ସୂଚନା ମିଳିଛି । ଏହାପୂର୍ବରୁ ଅନ୍ତରା ଅନ୍ୟ ଏକ ହିନ୍ଦୀ ଫିଲ୍ମରେ ନିଜର କଣ୍ଠଦାନ କରିସାରିଛନ୍ତି ।