ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଦୀର୍ଘ ଦିନର ଅପେକ୍ଷା ପରେ ଆଜିଠୁ ୟୁଏଇ ରେ ଆରମ୍ଭ ହେଉଛି ଆଇପିଏଲ ର ୧୩ତମ ସିଜିନ୍ । ପ୍ରଥମ ମ୍ୟାଚରେ ଆଇପିଏଲ ଇତିହାସର ଦୁଇ ସଫଳ ଟିମ୍ ମୁମ୍ବାଇ ଇଣ୍ଡିଆନସ ଏବଂ ଚେନ୍ନାଇ ସୁପରକିିଙ୍ଗସ ସାମ୍ନାସାମ୍ନି ହେବେ । ପ୍ରଥମ ମ୍ୟାଚରେ ବିଜୟ ପାଇଁ ଦୁଇ ଦଳର ଲକ୍ଷ ରହିବ ।
ଆଜି ଆବୁ ଧାବିର ଶେଖ ଜାୟଦ ଷ୍ଟାଡିୟମରେ ଭାରତୀୟ ସମୟାନୁଯାୟୀ ସନ୍ଧ୍ୟା ସାଢେ ୭ଟାରେ ମ୍ୟାଚ୍ ଆରମ୍ଭ ହେବ । ପ୍ରଥମ ଥର ପାଇଁ ୟୁଏଇ ମଇଦାନରେ ଖେଳିବେ ଖେଳାଳୀ । ଆଇପିଏଲ ଇତିହାସରେ ଦ୍ୱିତୀୟ ଥର ପାଇଁ ଦେଶ ବାହାରେ ଆୟୋଜିତ କରାଯାଉଛି ପୁରା ଆଇପିଏଲ । ଏହାପୂର୍ବରୁ ୨୦୦୯ ମସିହାରେ ଲୋକସଭା ନିର୍ବାଚନ ପାଇଁ ଦକ୍ଷୀଣ ଆଫ୍ରିକାରେ ଆଇପିଏଲ ଆୟୋଜନ କରାଯାଇଥିଲା ।
ପ୍ରକୃତରେ ମାର୍ଚ୍ଚ୨୯ ରେ ଭାରତରେ ଆଇପିଏଲ ଆୟୋଜନ ହେବାର ଥିଲା । କିନ୍ତୁ କୋଭିଡ୧୯ ପାଇଁ ମ୍ୟାଚକୁ ବାତିଲ କରାଯାଇଥିଲା । ଏହାପରେ ମ୍ୟାଚ ହେବ କି ନାହିଁ ଦ୍ୱନ୍ଦରେ ଥିଲା । ମାତ୍ର ବିସିସିଆଇ ଟି୨୦ ବିଶ୍ୱକପ ସ୍ଥଗିତ ହେବା ପରେ ଆଇପିଏଲ ପାଇଁ ରାସ୍ତା ଖୋଲିଥିଲା । ଚଳିତବର୍ଷ ୟୁଏଇ ର ତିନୋଟି ସହର ଆବୁଧାବି, ଦୁବାଇ ଏବଂ ଶାରଜାହାରେ ଆଇପିଏଲ ଖେଳାଯିବ ।