ପିପିଲି,(ଏଟିଆର ବ୍ୟୁରୋ): ପୁଲିସକୁ ଚକମା ଦେଇ ଆତଙ୍କ ରଚିଥିବା ଦୁର୍ଦ୍ଦାନ୍ତ ଅପରାଧୀ ସର୍ବେଶ୍ୱର ବେହେରାକୁ ଏନକାଉଣ୍ଟର । ଶୁକ୍ରବାର ବିଳମ୍ବିତ ରାତିରେ ପିପିଲି ପୁଲିସ ତାକୁ ଗୋଡାଇ ଗୋଡାଇ ଏନକାଉଣ୍ଟର କରିଛି । କେଇସି କଲେଜ ନିକଟରେ ଘଟିଥିବା ଏହି ଘଟଣାରେ ଗୁରୁତର ଆହତ ହୋଇଛି ସର୍ବେଶ୍ୱର । ପୁଲିସ ତାକୁ ଅଧିକ ଚିକିତ୍ସା ଲାଗି କଟକ ବଡ଼ମେଡିକାଲରେ ଭର୍ତ୍ତି କରିଛି । ସେପଟେ ସର୍ବେଶ୍ୱରର ଆଉ ଜଣେ ସହଯୋଗୀ ରାଜେଶ ପାତ୍ର ଏହି ଘଟଣାରେ ଧରାପଡିଛି । ତା’ ପାଖରୁ ପୁଲିସ ଏକ ପିସ୍ତଲ, ଦୁଇ ରାଉଣ୍ଡ ଗୁଳି ସମେତ ଏକ ବାଇକ ଜବତ କରିଛି ।
ଢ଼େରଦିନ ହେବ ଏମାନେ ପୂରା ଅଞ୍ଚଳରେ ଆତଙ୍କ ମଚାଇଥିଲେ । ତେଣୁ ପୁଲିସ ସ୍କାନରରେ ଥିଲେ । ଗତକାଲି ରାତିରେ ଏମାନେ ବାଇକ ନେଇ ଯାଉଥିବା ବେଳେ କୌଣସି ସୂତ୍ରରୁ ସୂଚନା ପାଇଥିଲା ପୁଲିସ । ଉଭୟଙ୍କୁ ଧରିବା ଲାଗି ଯୋଜନା ପ୍ରସ୍ତୁତ ହୋଇଥିଲା । ତେବେ ପୁଲିସକୁ ଦେଖି ଏମାନେ ଅଚାନକ ଗୁଳିମାଡ଼ କରିଥିଲେ । ଯାହାର ମୁହଁତୋଡ ଜବାବ ଦେଇଥିଲା ପୁଲିସ । କରିଥିଲା ଏନକାଉଣ୍ଟର । ପୁଲିସ ଗୁଳି ସର୍ବେଶ୍ୱରର ବାମ ଗୋଡରେ ବାଜିବାରୁ ସେ ସେଠାରେ ଟଳିପଡିଥିଲା । ବାଇକଟି ଘୁଷୁଡି ୨ଶହ ମିଟର ଚାଲିଯିବାରୁ ଆହତ ମଧ୍ୟ ହୋଇଥିଲା ରଜେଶ । ଉଭୟଙ୍କୁ ପୁଲିସ କାବୁ କରି ହସପିଟାଲକୁ ନେଇଥିଲା ।
ପୁଲିସ ରିପୋର୍ଟ କହୁଛି ସର୍ବେଶ୍ୱର ନାଁରେ ଡକାୟତ, ବନ୍ଧୁକ କାରବାର ଓ ଲୁଟ ଭଳି ସଙ୍ଗିନ ମାମଲା ରହିଛି । ପୂର୍ବରୁ ସେ ପୂର୍ବତନ କାଉନସିଲରଙ୍କୁ ଗୁଳି କରିଥିବା ନେଇ ଥାନାରେ ଅଭିଯୋଗର ଫର୍ଦ୍ଦ ଦାଖଲ କରାଯାଇଥିଲା ।