ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଗୋଟିଏ ପରେ ଗୋଟିଏ ଅଭିଯୋଗର ଫର୍ଦ୍ଦ ଖୁନ୍ଦି ହେବାରେ ଲାଗିଛି ନିମାପଡ଼ା ଏସଡିପିଓଙ୍କ ନାଁରେ । ସେ ଆଇନଜୀବୀଙ୍କୁ ଗାଳି କରିବା ହେଉ ଅବା ଲୋକାଲ କୁଜିନେତାଙ୍କୁ ସାଲିସ, ପ୍ରତିଟି ଘଟଣାରେ ତ’ ଏସଡିପିଓ ପୁଲିସ ବର୍ଦ୍ଦିର ଫାଇଦା ଉଠାଇଛନ୍ତି । ଏତିକି ନୁହେଁ ମହିଳାଙ୍କୁ ନିର୍ଯାତନା ଦେବା ସହ ୩ମାସର ଛୁଆକୁ ତା’ ମାଠୁ ଦୂରେଇ ରଖିବା ଘଟଣାରେ ସେ ସବୁ ସୀମା ଟପିଯାଇଛନ୍ତି ।
ତେବେ ଏଠି ପ୍ରଶ୍ନ ଏଭଳି ଜଣେ ଅଫିସରଙ୍କ ପାଇଁ କାହିଁକି ଏତେ ଦରଦ? କାହିଁକି ଏସଡିପିଓଙ୍କ ଉପରେ ନିଆଯାଉନାହିଁ ସୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ? ସବୁ ଜାଣି ମଧ୍ୟ କ’ଣ ପାଇ ଚୂପ ଆଜି ପୁଲିସ ଡିଜି? ଯଦି ଜଣେ ବୃଦ୍ଧାଙ୍କ ଭାଇରାଲ ଭିଡ଼ିଓକୁ ନେଇ ଗଣମାଧ୍ୟମକୁ ଡାକି ସଙ୍ଗେସଙ୍ଗେ ଆଇଆଇସିଙ୍କୁ ସସପେଣ୍ଡ କରିପାରିଲେ ତେବେ ଏସଡିପିଓଙ୍କ କ୍ଷେତ୍ରରେ କାହିଁକି ପଛଘୁଞ୍ଚା ଦେଉଛନ୍ତି ଡିଜି? ଏ ତମାମ ପ୍ରଶ୍ନର ଉତ୍ତର ଚାହୁଁଛନ୍ତି ନିମାପଡ଼ା ବାସୀ ।
କାହିଁ ଏମିତି ନୁହେଁ ତ’ ଯେଉଁ ରାଜନେତାଙ୍କୁ ସାଲିସ କରି ଏସଡିପିଓ ସେଠି ଆଖଡା ଜମାଇଛନ୍ତି ସେହି ରାଜନୈତିକ ପଶାପାଲିରେ ଡିଜି ଛନ୍ଦି ହୋଇପଡିଛନ୍ତି? ଆଉ ଏଥିପାଇଁ ଉଚିତ ପ୍ରମାଣ ଥାଇ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି? ନିମାପଡ଼ାରେ ଚାଲିଗଲା ଲୋକ ତ’ କହୁଛନ୍ତି ଅପା-ଭାଇନାଙ୍କ ଭିତରେ ପାୱାର ଫୁଲ ପାଢ଼ୀଙ୍କୁ ନେଇ ଭିତିରି ବୁଝାମଣା ହୋଇସାରିଛି । ଆଉ ଏଥିପାଇଁ ଜିଲ୍ଲାର ଖୋଦ ବଡବାବୁ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି । ତେଣୁ ପାଢ଼ୀଙ୍କ ପାୱାର ଏବେ ପାୱାର କରିଡ଼ରଠୁ ବି ଅଧିକ ପାୱାର ଫୁଲ ହୋଇଯାଇଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେଉଁ ଗଣମାଧ୍ୟମକୁ ଆଖି ଆଗରେ ରଖି ଆଇଆଇସିଙ୍କୁ ସସପେଣ୍ଡ କରାଗଲା ଆଜି ସେହି ଗଣମାଧ୍ୟମରେ ଏସଡିପିଓଙ୍କ ଗୋଟିଏ ପରେ ଗୋଟିଏ କାରନାମା ପଦାକୁ ଆସୁଥିବା ବେଳେ ଡିଜି ଚୁପ ରହିବା ସହିତ ଦୁଇ ପ୍ରମୁଖ ରାଜନୈତିକ ଦଳି ବି ସାଇଲେଣ୍ଟ ମୋଡରେ ରହିଯିବା ସାଧାରଣ ଲୋକଙ୍କୁ ଏବେ ଦ୍ୱନ୍ଦରେ ପକାଇଛି ।
ତେବେ ଏଠାରେ ସୂଚାଇ ଦିଆଯାଇପାରେ ଏସଡିପିଓଙ୍କ କ୍ଷେତ୍ରରେ ଖାଲି ଡିଜିପି ଚୁପ ନାହାନ୍ତି ପୂର୍ବରୁ ମଧ୍ୟ ବ୍ରହ୍ମପୁର ବଡ଼ବଜାର ଥାନା ଅଧିକାରୀଙ୍କ ସମ୍ପର୍କରେ ଏଟିଆର ଅନେକ କଥା ସାମ୍ନାକୁ ଆଣିଥିଲା । ସେଠାକାର ସ୍ଥାନୀୟ ଲୋକଙ୍କ କ୍ଷୋଭ ସମସ୍ତଙ୍କ ପାଖରେ ପହଞ୍ଚାଇଥିଲା । କିଭଳି ସେଠି ଆଇଆଇସି ମନମାନି କରୁଛନ୍ତି ତାହା ପଦାକୁ ଆଣିବା ପରେ ଯଦିଓ ଡିଜି କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଥିଲେ କିନ୍ତୁ ଶେଷ ବେଳକୁ ସବୁ ଫୁସ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଥାନା ଅଧିକାରୀଙ୍କ ସିନା ବଦଳି ଅର୍ଡର ବାହାରିଲା ତେବେ କ’ଣ ହେଲା କେଜାଣି ତରବରିଆ ଭାବେ ଛୁଟିଦିନରେ ମଧ୍ୟ ସେହି ଅର୍ଡରକୁ ପୁଣି ବାତିଲ କରି ଦିଆଗଲା । ଏହି ଘଟଣାକୁ ନେଇ ମଧ୍ୟ ବ୍ରହ୍ମପୁରବାସୀଙ୍କ ମନ ମଉଳି ଯାଇଛି ।
ସିଧା କହିବାକୁ ଗଲେ ଯେଉଁ ଭରସା ଟିକେ ପୁଲିସ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପରେ ଥିଲା ତାହା ବଦଳି ଅର୍ଡର ଅଟକିବା ପରେ ଧୂଳିସାତ ହୋଇଯାଇଛି । ତେବେ ସେ ଯାହାହେଉ ନିମାପଡ଼ା ଏସଡିପିଓଙ୍କ ସମେତ ବଡ଼ବଜାର ଥାନା ଅଧିକାରୀଙ୍କ ବିରୋଧରେ ଆଉ କେତେ ଅଭିଯୋଗକୁ ଅପେକ୍ଷା କରାଯାଇଛି ଓ’ କେବେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ଦେଖିବାକୁ ବାକି ରହିଲା ।