ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବର୍ଷର ପ୍ରଥମ ସାଟେଲାଇଟ ‘ଇଓଏସ-୦୧’ ର ସଫଳ ପ୍ରକ୍ଷେପଣ କରିଛି ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ (ଇସ୍ରୋ) । ଏହି ସାଟେଲାଇଟ କୁ ସତୀଶ ଧୱନ ସ୍ପେସ ସେଣ୍ଟରରୁ ପିଏସଏଲଭି-ସି୪୯ ରକେଟ ଦ୍ୱାରା ଲଞ୍ଚ କରାଯାଇଛି । ଏହା ଆଡଭାନ୍ସ ଅର୍ଥ ଅବଜରଭେସନ ଉପଗ୍ରହ । ଯାହାର ସିନ୍ଥେଟିକ ଏପର୍ଚର ରଡାର ଦିନ ଏବଂ ରାତିକୁ ଖାତିର ନକରି ବାଦଲକୁ ଭେଦି ହାଇ ରିଜ୍ୟୁଲେସନ ଫଟୋ ଉଠାଇବାର କ୍ଷମତା ରଖିଛି । ଏହାବ୍ୟତିତ ନଅଟି ବିଦେଶୀ ସାଟେଲାଇଟ ବି ଲଞ୍ଚ କରାଯାଇଛି ।
ଏହି ସଫଳତା ଉପରେ ଇସ୍ରୋର ଅଧ୍ୟକ୍ଷ କେ ସିବନ କହିଛନ୍ତି କି, ‘ଏହି ମହାମାରୀ କରୋନା ସମୟରେ ଇସ୍ରୋର ଟିମ ସମସ୍ତ କୋଭିଡ ଦିଶାନିର୍ଦ୍ଦେଶ ମାନି କାମ କରିଛନ୍ତି । ଏହି ସମୟରେ ଇସ୍ରୋର ସମସ୍ତ କର୍ମଚାରୀଙ୍କୁ ଗୁଣବତ୍ତାପୂର୍ଣ୍ଣ କାମ କରିବାର ଦେଖିବା ସବୁଠାରୁ ଖୁସୀର କଥା ’ ।
ସେ ଆହୁରୀ ମଧ୍ୟ କହିଛନ୍ତି କି, ଏହି ମିଶନ ଇସ୍ରୋ ପାଇଁ ବହୁତ ଖାସ୍ ଏବଂ ଅସାଧାରଣ । ଅନ୍ତରିକ୍ଷ ଗତିବିଧି ଘରୁ କାମ କରିବା ଦ୍ୱାରା ହୋଇ ପାରିବ ନାହିଁ । ପ୍ରତ୍ୟେକ ଇଂଜିନିୟରଙ୍କୁ ଲ୍ୟାବରେ ଉପସ୍ଥିତ ରହିବାକୁ ପଡିଥାଏ । ଏଭଳି ମିସନ ରେ କାମ କରିବା ପାଇଁ ପ୍ରତ୍ୟେକ ଟେକ୍ନିସିଆନ, କର୍ମଚାରୀ, କର୍ମଚାରୀଙ୍କୁ ଏକାସଙ୍ଗରେ ମିଳିତ ଭାବେ କାମ କରିବାକୁ ପଡିଥାଏ ।