ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ପ୍ରତିପଦାରେ ଗୋବର୍ଦ୍ଧନ ପୂଜାର ପର୍ବ ପାଳନ କରାଯାଏ । ଏହି ଦିନ ଗୋବର୍ଦ୍ଧନ ଏବଂ ଗାଇ ପୂଜାର ବିଶେଷ ମହତ୍ୱ ରହିଛି । ଖାସକରି ଏହିଦିନ ଲୋକେ ଘରର ଅଗଣାରେ ଗୋବରରେ ଗୋବର୍ଦ୍ଧନ ପର୍ବତର ଚିତ୍ର କରି ଗୋବର୍ଦ୍ଧନ ଭଗବାନଙ୍କର ପୂଜା କରିଥାନ୍ତି । ତେବେ ଆସନ୍ତୁ ଜାଣିବା କାହିଁକି କରାଯାଏ ଗୋବର୍ଦ୍ଧନ ପୂଜା ।
ଏକ କଥାନୁସାରେ ଭଗବାନ ଶ୍ରୀକୃଷ୍ଣ ଲୋକଙ୍କୁ ଇନ୍ଦ୍ରଙ୍କ ପୂଜା କରିବା ବଦଳରେ ଗୋବର୍ଦ୍ଧନ ପର୍ବତ ପୂଜା କରିବା ପାଇଁ କହିଥିଲେ । ମାତ୍ର ଏହା ପୂର୍ବରୁ ବର୍ଷାର ଦେବତା ଇନ୍ଦ୍ରଙ୍କୁ ପୂଜା କରୁଥିଲେ ଲୋକେ ।
ଭଗବାନ କୃଷ୍ଣ ଲୋକଙ୍କୁ କହିଲେ କି ଗୋବର୍ଦ୍ଧନ ପର୍ବତରୁ ଗୋକୁଳ ବାସୀଙ୍କ ପଶୁଙ୍କ ପାଇଁ ଚାରା ମଳିଥାଏ । ସେହିପରି ବାଦଲକୁ ରୋକି ବର୍ଷା କରାଇଥାଏ ଗୋବର୍ଦ୍ଧନ ପର୍ବତ । ଯାହାଦ୍ୱାରା କୃଷି ଉନ୍ନତ ହୋଇଥାଏ । ସେଥିପାଇଁ ଇନ୍ଦ୍ରଙ୍କ ପୂଜା ନୁହେଁ ବରଂ ଗୋବର୍ଦ୍ଧନ ପୂଜା କରାଯିବା ଉଚିତ୍ ।
ଯେତେବେଳେ ଏହି କଥା ଦେବରାଜ ଇନ୍ଦ୍ରଙ୍କ କାନରେ ପଡିଲା ସେତେବେଳେ ସେ ନିଜର ଅପମାନ ହୋଇଥିବା କହି ରାଗରେ ମୁସଳଧାରାରେ ବର୍ଷା ଆରମ୍ଭ କରିଦେଇଥିଲେ । ଏହାପରେ ଭଗବାନ କୃଷ୍ଣ, ଇନ୍ଦ୍ରଙ୍କ ଅଭିମାନ ଭାଙ୍ଗିବା ପାଇଁ ଗୋବର୍ଦ୍ଧନ ପର୍ବତକୁ ନିଜ ଛୋଟ ଅଙ୍ଗୁଳିରେ ଉଠାଇ ସମଗ୍ର ଗୋକୁଳ ବାସୀନ୍ଦାଙ୍କୁ ଇନ୍ଦ୍ରଙ୍କ କ୍ରୋଧରୁ ରକ୍ଷା କରିଥିଲେ ।
ଇନ୍ଦ୍ରଙ୍କ କ୍ରୋଧରୁ ରକ୍ଷା ପାଇବା ପାଇଁ ଯେତେବେଳେ ଗୋକୁଲ ବାସିନ୍ଦା ଗୋବର୍ଦ୍ଧନ ପର୍ବତ ତଳେ ଆଶ୍ରୟ ନେଇଥିଲେ, ସେତେବେଳେ ଗୋକୁଲ ଲୋକମାନେ ୫୬ ଭୋଗ ତିଆରି କରି ଶ୍ରୀକୃଷ୍ଣଙ୍କୁ ଭୋଗ ଲଗାଇଥିଲେ । ଏଥିରେ ଭଗବାନ କୃଷ୍ଣ ପ୍ରସନ୍ନ ହୋଇ ଗୋକୁଳ ବାସୀନ୍ଦାଙ୍କୁ ରକ୍ଷା କରିବେ ବୋଲି ଆର୍ଶିବାଦ ଦେଇଥିଲେ ।