ଭୁବନେଶ୍ବର (ଏଟିଆର ବ୍ୟୁରୋ): ଏଣିକି ସାବାଡ ହେବେ ଅମାନିଆ ଗାଡି ଚାଳକ। ରାଜ୍ୟ ସରକାରଙ୍କ ପକ୍ଷରୁ ଗାଡି ଚାଳକଙ୍କ ପାଇଁ ଆସିଲା ନୂତନ ଗାଇଡଲାଇନ। ଏଣିକି ଯଦି କୌଣସି ବ୍ୟକ୍ତି ହେଲମେଟ ନପିନ୍ଧି ଗାଡି ଚଲାଇବାର ଧରା ପଡନ୍ତି ତେବେ ତାଙ୍କ ଡ୍ରାଇଭିଂ ଲାଇସେନ୍ସ ୩ ମାସ ପାଇଁ ବାତିଲ କରାଯିବ। ଏହାସହିତ ତାଙ୍କୁ ଏକ ହଜାର ଟଙ୍କା ଜରିମନା ମଧ୍ୟ ଦେବାକୁ ପଡିବ। ଏନେଇ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ପରିବହନ ସଚିବ। ଏହି ଚିଠିରେ ଯାନବାହନ ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ କୁହାଯାଇଛି।
ଗତବର୍ଷ ହୋଇଥିବା ୧୧ ହଜାର ୬୪ ଟି ସଡକ ଦୁର୍ଘଟଣା ହୋଇଥିଲା। ସେଥିମଧ୍ୟରୁ ୪୬୮୮ ଟି ସଡକ ଦୁର୍ଘଟଣାରେ ଦୁଇ ଚକିଆ ଯାନ ସଂପୃକ୍ତ ରହିଥିଲା। ଏହାସହିତ ଏହି ଦୁର୍ଘଟଣାରେ ୨୧୫୬ ଜଣଙ୍କର ମୃତ୍ୟୁ ହୋଇଥିଲା। ହେଲମେଟ ନପିନ୍ଧିବା ଯୋଗୁଁ ଦୁର୍ଗଟଣାରେ ମୃତ୍ୟୁ ହୋଇଥିଲା । କିନ୍ତୁ ଯଦି ଗାଡି ଚଲାଇବା ବେଳେ ହେଲମେଟ ପିନ୍ଧିଥାନ୍ତେ ତେବେ ଅନେକ ଜୀବନ ବଞ୍ଚି ଯାଇ ପାରିଥାନ୍ତା ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।
ସୂଚନାଯୋଗ୍ୟ, ମହାମାରୀ କରୋନା ପ୍ରକୋପକୁ ଦୃଷ୍ଟିରେ ରଖି ରାଜ୍ୟରେ ସରକାରଙ୍କ ପକ୍ଷରୁ ଗାଡି କାଗଜପତ୍ର ଏବଂ ହେଲମେଟ ଚେକିଂ ଉପରେ କୋହଲ କରାଯାଇଥିଲା।କିନ୍ତୁ ଏବେ କଡାକଡି ଭାବେ ଯାଞ୍ଚ କରିବା ପାଇଁ ଡିଜିକୁ ଚିଠି ଲେଖିଛନ୍ତି ପରିବହନ ସଚିବ।