ହନୁ ମଲା ବେଳକୁ ସତ କହିଲା ଭଳି ରାଜ୍ୟ ସରକାର ଏବେ ସତକୁ ସ୍ୱୀକାର କରିଛନ୍ତି । କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀ ମାନେ ଟଙ୍କା ନେବା କଥାକୁ ସ୍ୱୀକାର କରିଛନ୍ତି ରାଜ୍ୟ ସରକାର । ୨୦୧୯ ନିର୍ବାଚନ ବୈତରଣୀ ପାର ହେବା ପାଇଁ ବିଜେଡି ସରକାର ଅନେକ ଯୋଜନା ଘୋଷଣା କରିଥିଲେ । ହେଲେ ଏହି ଯୋଜନା ଗୁଡିକ ଯେପରି ସରକାରଙ୍କୁ ଅଡୁଆରେ ପକାଇବାରେ ଲାଗିଛି । ସବୁଠାରୁ ବେଶି କାଳିଆ ଯୋଜନା ସରକାରଙ୍କୁ ଘାଇଲା କରିଛି ।
ଯୋଜନା ଆରମ୍ଭ ହେବା ଦିନ ଠାରୁ ଏହା ଯେପରି ସରକାରଙ୍କ ପାଇଁ ଫାଶୀର ଫନ୍ଧା ସଦୃଶ୍ୟ ପାଲଟିଛି । କୃଷକଙ୍କୁ ଚାଷରେ ସାହାର୍ଯ୍ୟ କରିବା ପାଇଁ ସରକାର ଏହି ଯୋଜନା ଆଣିଥିଲେ । ହେଲେ ପ୍ରତ୍ୟେକ ସମୟରେ ଏହି ଯୋଜନାଟି ବାଟମାରଣା ହେଉଥିବାର ବିରୋଧୀ ଦଳ ଅଭିଯୋଗ କରିଥାନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ସରକାର ଏହାକୁ ମାନିବାକୁ ନାରାଜ ଥିଲେ । ଏହି ଅଭିଯୋଗରକୁ ସବୁବେଳେ ଖଣ୍ଡନ କରୁଥିବା ରାଜ୍ୟ ସରକାର ଆଜି ବିଧାନସଭାରେ କାଳିଆ ଟଙ୍କା ବାଟ ମାରଣା ହୋଇ ଅଯୋଗ୍ୟ ହାତକୁ ଯିବା କଥାକୁ ସ୍ୱୀକାର କରିଛନ୍ତି ।
ଆଜିଠାରୁ ଆରମ୍ଭ ହୋଇଥିବା ବିଧାନସଭାର ଶୀତକାଳିନ ଅଧିବେଶନରେ ବିଧାୟକ ତାରାପ୍ରସାଦ ବାହିନୀପତି, ଅଶ୍ୱନୀ ପାତ୍ର ଓ ଅନନ୍ତ ଜେନା କାଳିଆ ଯୋଜନା ସମ୍ପର୍କରେ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ କୃଷିମନ୍ତ୍ରୀ ଅରୁଣ ସାହୁ କହିଥିଲେ, ୪୫ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଟଙ୍କା ବଣ୍ଟା ଯାଇଛି । କାଳିଆ ଯୋଜନାରେ ଏ ଯାବତ ୫୧ ଲକ୍ଷ ୫ ହଜାର ୨୯୦ ଚାଷୀଙ୍କୁ ଟଙ୍କା ମିଳିଛି । ପ୍ରତ୍ୟେକ ୫ହଜାର ହିସାବରେ ୨୫୫୨କୋଟି ୬୪ଲକ୍ଷ ୫୦ ହଜାର ଟଙ୍କା ଦିଆଯାଇଛି । ୫୧ ଲକ୍ଷ ୫ ହଜାର ୨୯୦ ଚାଷୀଙ୍କ ମଧ୍ୟରୁ ୪୫,୯୬୫ଜଣ ଅଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟଙ୍କା ବଣ୍ଟା ଯାଇଛି । ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ଟଙ୍କା ଫେରସ୍ତ ଲାଗି ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି । ଏବେ ଦେଖିବାକୁ ବାକୀ ରହିଲା ରାଜ୍ୟ ସରକାର କିପରି ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ଟଙ୍କା ଫେରାଇ ଆଣି ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦାନ କରୁଛନ୍ତି ।