ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଭାରତ ମହାସାଗର ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ରହିଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଗତକାଲି ଲଘୁଚାପ ବଳୟ ଦକ୍ଷିଣ ଆଣ୍ଡାମାନ ସାଗର ଓ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ।
ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବ। ଏହା ଧୀରେ ଧୀରେ ପଶ୍ଚିମ ଆଡ଼କୁ ଗତି କରିବା ସହ ୨ ତାରିଖ ବେଳକୁ ଦକ୍ଷିଣ ତାମିଲନାଡୁ ଉପକୂଳ ସ୍ପର୍ଶ କରିବ।ଏହାର ପ୍ରଭାବରେ ଦକ୍ଷିଣ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହେବ । ଓଡ଼ିଶାରେ ବର୍ଷାର ସମ୍ଭାବନା ଅଳ୍ପ ମାତ୍ରାରେ ଅଛି ।
ରାଜ୍ୟରେ ଶୁକ୍ରବାରଠାରୁ ଶୀତ ର ପ୍ରଭାବ ବଢିବା ଆରମ୍ଭ ହୋଇଯାଇଛି । ଗତ ୨୪ ଘଣ୍ଟା ଓଡ଼ିଶାରେ କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ହ୍ରାସ ଘଟିଛି । ଶୁକ୍ରବାର ରାଜ୍ୟରେ ୨ ସହରରେ ସର୍ବନିମ୍ନ ତାପମାତ୍ରା ୧୫ ଡ଼ିଗ୍ରୀ ତଳକୁ ରହିଥିବା ବେଳେ ଶନିବାର ୫ ସହରର ତାପମାତ୍ରା ୧୫ ଡ଼ିଗ୍ରୀ ତଳକୁ ଖସିଛି ।
ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ସୋନପୁରଠାରେ ୧୧.୦ ଡ଼ିଗ୍ରୀ ରେକର୍ଡ଼ ହୋଇଛି । ଏଥିସହ ଫୁଲବାଣୀ ୧୪.୫ , ଭବାନୀପାଟଣା ୧୫.୦, ଦାରିଙ୍ଗବାଡ଼ି ୧୪.୦ ଓ କୋରାପୁଟରେ ୧୪.୬ ଡ଼ିଗ୍ରୀ , ସର୍ବନିମ୍ନ ତାପମାତ୍ରା ରହିଥିବା ଜଣାପଡ଼ିଛି । ଭୁବନେଶ୍ୱରରେ ରାତିରେ ସର୍ବନିମ୍ନ ତାପମାତ୍ରା ୧୮.୯ ଡ଼ିଗ୍ରୀ ରହିଥିଲା ।