ଭୁବନେଶ୍ୱର(ଏଟିଆର ବ୍ୟୁରୋ): ପ୍ରତିବର୍ଷ ହୋଟେଲ , କ୍ଳବ ଓ ବାର୍ ରେ ଖୁବ ଧୁମ୍ ଧାମ୍ ରେ ନାଚଗୀତ ସହ ଜିରୋ ନାଇଟ୍ ସେଲିବ୍ରେସନ ବା ନୂଆବର୍ଷ ପାଳନ କରାଯାଏ । ଶତାଧିକ ଲୋକଙ୍କୁ ନେଇ ନୂଆବର୍ଷ ପାର୍ଟିର ଆୟୋଜନ କରାହୋଇଥାଏ । କିନ୍ତୁ ଏହି ବର୍ଷ ୨୦୨୦କୁ ପୂରା ଫିକା କରି ସାରିଛି ମହାମାରୀ କରୋନା । ଚଳିତ ବର୍ଷ ମହାମାରୀ କୋରନା ପାଇଁ ରାଜଧାନୀ ଭୂବନେଶ୍ୱରରେ ଜମିବନି ଜିରୋନାଇଟ୍ ।
କୋଭିଡ୍ ସମୟରେ ବାର୍ ଓ କ୍ଳବରେ ଗହଳି ଆଶଙ୍କା କରି ସଂକ୍ରମଣ ରୋକିବା ପାଇଁ ବିଏମ୍ସି ଏହି ପଦକ୍ଷେପ ନେଇଛି । ରାଜ୍ୟ ସରକାରଙ୍କ କୋଭିଡ୍-୧୯ ଗାଇଡ୍ ଳାଇନ୍ ଅନୁଯାୟୀ, ନୂଆବର୍ଷ ପାଇଁ କୌଣସି ହୋଟେଲ, ବାର୍ ଓ ଖୋଲା ସ୍ଥାନରେ ମଧ୍ୟ ପାର୍ଟି ହୋଇ ପାରିବ ନାହିଁ । ତେଣୁ ଡିସେମ୍ବର ୩୧ ରେ ଉତ୍ସବ ମନା ବୋଲି ସୂଚନା ଦେଇଛନ୍ତି ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ହୋଟେଲ , କ୍ଳବ ଓ ବାର୍ ଆଦିର ଯାଞ୍ଚ ନିମନ୍ତେ ବିଏମ୍ସି ପକ୍ଷରୁ ୭ଟି ସ୍କ୍ୱାଡ୍ ସହର ସାରା ବୁଲିବେ ବୋଲି ବିଏମ୍ସି କମିଶନର କହିଛନ୍ତି । ଅପରପକ୍ଷେ ଡିସେମ୍ବର ୨୫ ତାରିଖ ବଡଦିନ ପାଳନ ନେଇ ଚର୍ଚ୍ଚକୁ ମିଳି ପାରିବ ଅନୁମତି । କେତେ ସଂଖ୍ୟକ ଲୋକ ଏକାଠି ହେବେ ତାହା ଦର୍ଶାଇବାକୁ ପଡିବ । ସେହି ଅନୁସାରେ ଅନୁମତି ଦିଅଯିବ ବୋଲି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି । ଏଥିସହ ଲୋକଙ୍କ ମଧ୍ୟରେ ୨ ମିଟର ଦୂରତା ରକ୍ଷା କରି ଚର୍ଚ୍ଚରେ ପ୍ରାର୍ଥନା କରିବା ପାଇଁ କୁହାଯାଇଛି । କୋଭିଡ୍-୧୯ ଗାଇଡ୍ ଲାଇନ୍ ପାଳନ ସହ ଯେପରି ଅଧିକ ଲୋକ ଏକତ୍ରିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦିଆଯିବ ।
ସୂଚନାଯୋଗ୍ୟ , କରୋନା ହୋଇ ନଥିଲେ ଏତେବେଳକୁ ଡିଜେନାଇଟ୍ ସହ ପାର୍ଟିକୁ ଆକର୍ଷଣୀୟ କରିବା ପାଇଁ ପ୍ରତିଯୋଗିତା ଆରମ୍ଭ ହୋଇସାରନ୍ତାଣି । କିନ୍ତୁ କମିଶନର ଶ୍ରୀ ଚୌଧୁରୀଙ୍କ ଘୋଷଣା ପରେ ଜଣାଗଲା ଯେ ଏଥର ରାଜଧାନୀରେ ଜିରୋ ନାଇଟ୍ ହେବନାହିଁ । ନୂଆବର୍ଷ ପାଇଁ ରାଜଧାନୀରେ କୌଣସି ପ୍ରକାର ଉତ୍ସବ ପାଳନ କରାଯିବ ନାହିଁ । ତେବେ ରାଜ୍ୟ ସରକାର ଏପରି ନିଷ୍ପତି ନେବାପରେ କେନ୍ଦ୍ର ସରକାରଙ୍କର ଏହାକୁ ନେଇ କୌଣସି ଗାଇଡ୍ ଲାଇନ୍ ଆସିନାହିଁ ।