ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ପୁଣି କଂଗ୍ରେସର ବନ୍ଦ ଡାକରା । ଅଖଚକ ବନ୍ଦ । ସକାଳ ୬ରୁ ଦିନ ୧୨ ଯାଏଁ ଗଡିବନି ଗାଡି । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିର କଡ଼ା ଜବାବ ଦେବାକୁ ଯାଇ ଏବେ ଏମିତି ଅଣ୍ଟା ଭିଡିଛି କଂଗ୍ରେସ । ଚକା ଜାମ ଲାଗି ଡାକରା ଦେଇଛି । ଆସନ୍ତା ୪ ତାରିଖରେ ହେବାକୁ ଥିବା ବନ୍ଦ ଡାକରାକୁ ସଫଳ କରିବା ଲାଗି ସହରବାସୀଙ୍କୁ ଅନୁରୋଧ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।
ହୁହୁ ହୋଇ ବଢ଼ିଚାଲୁଥିବା ତୈଳଦରକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ନିରଞ୍ଜନ । ସିଧା କହିଛନ୍ତି ମୋଦି ସରକାର ଗରିବ ଓ ସାଧାରଣ ନାଗରିକ ଏପରିକି ଗୃହିଣୀଙ୍କ ଉପରେ ଭୟଙ୍କର ଅତ୍ୟାଚାର କରୁଛନ୍ତି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କେନ୍ଦ୍ରସରକାରଙ୍କ ସବୁ ଚକ୍ରାନ୍ତକୁ ରାଜ୍ୟ ସରକାର ସମର୍ଥନ କରି ଲାଭବାନ ହେଉଥିବା ଅଭିଯୋଗ ଆଣିଛି କଂଗ୍ରେସ । ତେଣୁ ଦୁଇ ମହାନଗରବାସୀଙ୍କୁ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି ପିସିସି ସଭାପତି । ତେବେ ଏନେଇ ରବିବାର ଏକ ମଶାଲ ଶୋଭାଯାତ୍ରା ମଧ୍ୟ ରବିବାର ସନ୍ଧ୍ୟାରେ କରାଯିବ ବୋଲି ଜଣାପଡିଛି ।