କଟକ(ଏଟିଆର ବ୍ୟୁରୋ):ଦୀର୍ଘ ୯ ମାସ ଧରି କରୋନା କଟକଣା ମଧ୍ୟରେ ବନ୍ଦ ରହିଥିବା କଟକ ଚଣ୍ଡି ମନ୍ଦିର ଆଜି ଖୋଲିଛି । ଦୀର୍ଘ ଦିନ ପରେ ମାଙ୍କ ଦର୍ଶନ ପାଇବା ପାଇଁ ଲୋକଙ୍କ ମନରେ ଆନନ୍ଦର ଲହରି ଫୁଟି ଉଠିଛି । କୋଭିଡ ଗାଇଡ ଲାଇନ ପାଳନ କରି ମନ୍ଦିର ଖୋଲିବ ବୋଲି ବିଜ୍ଞପ୍ତି ଜାରି କରିଛି ପ୍ରଶାସନ ।
ରାଜ୍ୟରେ ସମସ୍ତ ମନ୍ଦିର ଖୋଲିବା ପରେ କଟକ ଜିଲ୍ଲାରେ ମନ୍ଦିର ଖୋଲିବା ପାଇର୍ଁ ନିଷ୍ପତ୍ତି ନେଇଛି ପ୍ରଶାସନ ।ନୂଆ ଗାଇଡଲାଇନ ଅନୁସାରେ ଟୋକନ୍ ବ୍ୟବସ୍ଥାରେ ପ୍ରବେଶ କରିବେ ଭକ୍ତ । ଭକ୍ତଙ୍କ ମଧ୍ୟରେ ଯଦି ଅନ୍ୟ କୈାଣସି ରୋଗ ଥିବ ତେବେ ମନ୍ଦିର ଭିତରକୁ ପ୍ରବେଶ ପାଇଁ ବାରଣ କରାଯିବ ।
କଟକ ଚଣ୍ଡି ସମେତ ଜିଲ୍ଲାର ବିଭିନ୍ନ ମନ୍ଦିର ଆଜିଠୁ ଖୋଲିବ । ଦୀର୍ଘ ଦିନ ଧରି ମନ୍ଦିର ବନ୍ଦ ରହିଥିବାରୁ ସଫାସୁତୁରା ସହ ଭକ୍ତଙ୍କ ଦର୍ଶନ ପାଇଁ ଅନୁମତି ଦେଇଛନ୍ତି । ସେହିପରି ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ମନ୍ଦିର ନଆସିବା ପାଇଁ ପରାମର୍ଶ ଦିଆଯାଇଛି । ମନ୍ଦିର ଭିତରକୁ ଏକକାଳୀନ ୨ ଜଣ ଭକ୍ତ ପ୍ରବେଶ କରିପାରିବେ । ସେବାୟତ ଓ ଭକ୍ତଙ୍କ ମଧ୍ୟରେ ଦୂରତା ରକ୍ଷାକରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।