ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଛି । ଏହାରି ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ବାହାଘର ଏବଂ ଅନ୍ତିମ ସଂସ୍କାର ଗାଇଡଲାଇନ୍ ରେ ପରିବର୍ତ୍ତନ କରାଯାଇଛି । ଏଣିକି ବାହାଘରରେ ଶୋଭାଯାତ୍ରା ନେଇ ଯାଇପାରିବ ବର । ବିବାହ ଉତ୍ସବରେ ସର୍ବାଧିକ ୨୦୦ ଲୋକ ସାମିଲ ହୋଇପାରିବେ । କିନ୍ତୁ ସମସ୍ତ କୋଭିଡ ନିୟମ ପାଳନ କରିବା ବାଧ୍ୟତାମୂଳକ । ଏନେଇ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।
ବର୍ତ୍ତମାନର କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ନିଷ୍ପତି ନେଇଛନ୍ତି । ବର, କନ୍ୟା, ବନ୍ଧୁବାନ୍ଧବ, ପୂଜକ, ବରଯାତ୍ରୀ, ଲାଇଟ, ସାଉଣ୍ଡ, ବ୍ୟାଣ୍ଡପାର୍ଟି ସଦସ୍ୟଙ୍କୁ ମିଶାଇ ମୋଟ ୨୦୦ ଲୋକ ବିବାହରେ ସାମିଲ ହୋଇପାରିବେ । ସେହିପରି ଉତ୍ସବରେ ସାମିଲ ହେଲା ବେଳେ ମାସ୍କ ପିନ୍ଧିବା, ସାମାଜିକ ଦୂରତା,ଥର୍ମାଲ ସ୍କ୍ରିନିଂ, ହାତ ଧୋଇବା ବାଧ୍ୟତାମୂଳକ ।
ଅନ୍ୟପଟେ ଅନ୍ତେଷ୍ଟି କାର୍ଯ୍ୟ ପାଇଁ ସର୍ବାଧିକ ୧୦୦ ଜଣ ସାମିଲ ହୋଇପାରିବେ ।