ପୁରୀ(ଏଟିଆର ବ୍ୟୁରୋ): କରୋନା ମହାମାରୀ କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ହୋଇଥିବା କୋଭିଡ କଟକଣାକୁ ଏବେ କୋହଳ କରାଯାଇଛି । ବୁଧବାର ଦିନ ଏନେଇ ନୂଆ ଏସଓପି ଜାରି କରାଯାଇଛି । ନୂଆ ଏସଓପି ଅନୁସାରେ ରବିବାର ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିବେ ଭକ୍ତ । ସପ୍ତାହକ ସାତ ଦିନ ଯାକ ଖୋଲା ରହିବ ମନ୍ଦିର ।
ଚଳିତ ମାସ ୧୩ ତାରିଖରେ ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମ ବେଶ ଅନୁଷ୍ଠିତ ହେବ । ଭକ୍ତମାନେ ୧୩ ତାରିଖରୁ ପରବଦି ପର୍ଯ୍ୟନ୍ତ ବେଶ ଦର୍ଶନ କରିବେ । ସେହିପରି ଆସନ୍ତା ୧୨ ତାରିଖରୁ ଆନନ୍ଦବଜାରରେ ଶ୍ରଦ୍ଧାଳୁମାନେ ମହାପ୍ରସାଦ ସେବନ କରିପାରିବେ ବୋଲି କହିଛନ୍ତି ମନ୍ଦିର ପ୍ରଶାସକ କ୍ରିଶନ କୁମାର ।
ମନ୍ଦିର ପରିସରରେ ଛେପ ପକାଇଲେ ୧୦୦୦ ଟଙ୍କା ଏବେଂ ମନ୍ଦିର ପରିସରକୁ ପଲିଥିନ ନେଲେ ୧୦୦ ଟଙ୍କା ଜାରିମାନା ଆଦାୟ କରାଯିବ । ପ୍ରତ୍ୟେକ ଦିନ ସକାଳ ୬ ଟାରୁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ପୁରୀବାସୀଙ୍କ ସମେତ ବାହାର ଭକ୍ତମାନେ ଭୋରରୁ ଦର୍ଶନର ସୁଯୋଗ ପାଇପାରିବେ ।
ସେହିପରି ଦର୍ଶନ ପାଇଁ ଯିବା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ରବିବାର ଶ୍ରୀମନ୍ଦିର ବିଶୋଧନ କରାଯାଉଥିଲା କିନ୍ତୁ ଏବେ ବିଳମ୍ବିତ ରାତିରେ ସପ୍ତାହକୁ ତିନିଦିନ ବିଶୋଧନକରାଯିବ ବୋଲି ନିଷ୍ପତ୍ତି ହୋଇଥିବା ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।