ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଶାଢ଼ୀ ଦୋକାନ ହେଉ କି’ ତେଜରାତି ଦୋକାନ । କାହାରିକୁ ବି ଛାଡୁ ନାହାନ୍ତି । ପଶୁଛନ୍ତି, ଭରା ମାଲ ଉଠାଉଛନ୍ତି । ନେଇ ନେଇ ପୂରା ଖୋଳ କରି ସାରିଲେଣି । ସାରା କମିଶନରେଟ ପୁଲିସରେ ଏମିତି କେହି ନଥିଲେ, ଯେମିତି ଇଏ ହେଉଛନ୍ତି । ଆମେ କହୁଛୁ କମିଶନରେଟ ପୁଲିସରେ ଥିବା ଜଣେ କରିତକର୍ମା କନଷ୍ଟେବଳଙ୍କ କଥା । ଯାହାଙ୍କୁ କେବେ ବି ବର୍ଦ୍ଧି ଦେଖିବାକୁ ମିଳେନାହିଁ । ଲାଗେ ଯେମିତି ଶପଥ ନେଇଛନ୍ତି ୟୁନିଫର୍ମ ପିନ୍ଧିବେନି ।
ମହାଶୟ ସବୁବେଳେ ସିଭିଲରେ ଥାଆନ୍ତି । ଥାନା ଭିତରେ ତାଙ୍କର କେବେ ଦେଖା ମିଳେନି । ବରଂ ୨୪ ଘଣ୍ଟା ବାହାରେ ସେ ଚକ୍କର କାଟନ୍ତି । କାହାକୁ ସ୍ପେଶାଲ ସ୍କ୍ୱାଡ ଷ୍ଟାଫ ତ’ ପୁଣି କେତେବେଳେ ନିଜକୁ ଥାନା ସବଇନ୍ସପେକ୍ଟର ପରିଚୟ ଦେଇ ନିଜର ରୋବାବ ଦେଖାନ୍ତି । ମହାଶୟଙ୍କ ଏହି କାରନାମା ଆଜିକାର ନୁହେଁ ବରଂ ଢ଼େରଦିନର । ପୂର୍ବରୁ ଏନେଇ ଏଟିଆର ପକ୍ଷରୁ ଥରେ ତାଙ୍କୁ ସଚେତନ କରାଯାଇଥିଲା । ହେଲେ କଣ ହେବ । ଲୋଭ କ’ଣ କେବେ ସଚେତନତାକୁ ଗ୍ରହଣ କଲାଣି ଯେ, ମହାଶୟ ଶୁଣିବେ । ଏମିତି ରାମ୍ପୁଛନ୍ତି ଯେ, ବର୍ତ୍ତମାନ କଥାଟା ହାଟରେ ପଡି ଦାଣ୍ଡରେ ଗଡିଲାଣି ।
ଏପଟେ ସବୁଠୁ ବଡ଼ କଥା ହେଉଛି, ମହାଶୟଙ୍କ ଏଭଳି ହରକତ ଲାଗି ନୂଆ କରି ଆସିଥିବା ଥାନା ଅଧିକାରୀ ଏବେ ଅଯଥାରେ ବଦନାମର ଟିକା ପିନ୍ଧିଲେଣି । ଯାହାତ ନିଜେ ଖାଉଛନ୍ତି ଖାଉଛନ୍ତି ସେଥିରେ ପୁଣି ଥାନା ଅଧିକାରୀଙ୍କ ନାଁ ଯୋଡି ମହାଶୟ ପୂରା କମିଶନରେଟ ପୁଲିସ ଖାସ କରି ଥାନା ଅଧିକାରୀଙ୍କୁ ବେଶି ବଦନାମ କରୁଛନ୍ତି । ସିଧା କହିବାକୁ ଗଲେ ଡ୍ୟୁଟି ଅପେକ୍ଷା ମହାଶୟ ସ୍ଥାନୀୟ ଅଞ୍ଚଳରେ ପୂରା କଲେକ୍ସନରେ ବ୍ୟସ୍ତ ରହୁଛନ୍ତି । ଶାଢ଼ୀ ଦୋକାନ, ତେଜରାତି ଦୋକାନ ଓ ମଲ ଯାଏ ଠିକ ଥିଲା । ହେଲେ ଯୋଉ ନୂଆ ମଦ ବାରଟା ଖୋଲିଲା, ମହାଶୟଙ୍କ ଏବେ କଚେପୁଅ ବାର । ଗାଡି ଲଗାଇ ଛିଡା ହୁଅ, ଭରା ମାଲ ଉଠାଅ । ଏମିତି ଚାଲିଛି କଲେକ୍ସନ ।
ତେବେ କଲେକ୍ସନଟା ଥାନା ପାଇଁ କି’ ନିଜ ପାଇଁ କେଜାଣି? ମହାଶୟ କିନ୍ତୁ ନୂଆ କରି ଆସିଥିବା ଆଇଆଇସିଙ୍କୁ ଏକଦମ ଢ଼ାଲ କରି ଏହି କାରନାମା ଚଳାଇଥିବା ଚର୍ଚ୍ଚା ହେଉଛି । ଏବେ ରଜ ଲାଗି ତ’ ଏମିତି ସପିଙ୍ଗ କଲେ ଯେ ହାଲତ ପୂରା ଢ଼ିଲା । ପୁଣି ଥରେ କହି ରଖୁଛୁ ଏଠି ବି ନୂଆ କରି ଆସିଥିବା ଆଇଆଇସି ନାଁରେ ଏଭଳି ଭାଣ୍ଡାମି ଚଲାଇଛନ୍ତି ମହାଶୟ । ତାଙ୍କୁ ପୂରା ଢ଼ାଲ କରି ନାମକରା କନଷ୍ଟେବଳ ଘର ବାହାର ସମସ୍ତଙ୍କ ପାଇଁ ମାର୍କେଟିଂ କରିଛନ୍ତିି । ଜିନିଷ ନେବା ତ’ ସମସ୍ତେ ଦେଖିଲେ ହେଲେ ପେମେଣ୍ଟ ଟା ଦେଖି ହେଲାନି । ୟା ବାଦ ତ ଗଞ୍ଜେଇ ଆଡ୍ଡା, ଅଫିମ ବ୍ୟବସାୟୀ, ଜୁଆ ଆଡ୍ଡା ଆହୁରି କେତେକଣ ଅଛି । କଲେକ୍ସନ ପୂରା ହେଭି । ଲାଗୁଛି ରଜ ପାଗ ତ’ କଲେକ୍ସନ ହାଇ ହେବା ଦରକାର ।
ମଞ୍ଜି କଥାକୁ ଆସିବା । ମହାଶୟଙ୍କ ଏହି ଠାଣୀ କେବଳ ତାଙ୍କ ବାପାଙ୍କ ସାହାସରେ ବୋଲି ଶୁଣିବାକୁ ମିଳୁଛି । ମୁଖ୍ୟମନ୍ତ୍ରୀଙ୍କ ପାଖରେ ବାପା ଥିବା କହି ବୁଲୁଛନ୍ତି ସମ୍ପୃକ୍ତ କନଷ୍ଟେବଳ । ବାସ୍ତବରେ କିନ୍ତୁ କଥା ତାହା ନୁହଁ । ଯଦିଓ ପୂର୍ବରୁ ତାଙ୍କ ବାପା କିଛି କ୍ଷଣ ଲାଗି ସେଠାରେ ଥିଲେ ଏବେ କିନ୍ତୁ ଆଉ ନାହାନ୍ତି । ହେଲେ ସେହି ଛାପାରେ ଏଯାବତ ଡିଆଁ ମାରୁଛନ୍ତି କନଷ୍ଟେବଳ । ତଳୁ ଉପର ଯାଏଁ ରୋବାବ ଦେଖାଉଛନ୍ତି । ଖାସ ଏଥିପାଇଁ ତ’ ନୂଆ ଆଇଆଇସିଙ୍କୁ ବି ସେ ବକରା ବନାଇ ଦେଇଥିବା ଶୁଣିବାକୁ ମିଳୁଛି । ସବୁଠୁ ବଡ଼ କଥା ହେଉଛି ଅନ୍ୟତ୍ର ବଦଳି ନହେବା ଯୋଗୁ ପୂରା ଅଞ୍ଚଳକୁ ନିଜ ପୈତୃକ ସମ୍ପତ୍ତି ଭାବିଲେଣି ସେ ।
ତେଣୁ ଏଥିପ୍ରତି ବିଭାଗୀୟ ଅଧିକାରୀ ତୁରନ୍ତ ନଜର ପକାଇବା ଆବଶ୍ୟକ ହୋଇପଡିଛି । କାହିଁ ଏମିତି ନହେଉ କମିଶନରେଟ ପୁଲିସକୁ ନୂଆ କରି ଆସିଥିବା ଆଇଆଇସି ୟାଙ୍କ ପାଇଁ ଫୁଲ ବଦନାମ ହେବେ । ତଥାପି ଶେଷରେ ଏଇଆ କହିବୁ ଏବେ ବି ସମୟ ଅଛି । ସୁଧୁରି ଯାଆନ୍ତୁ । ସମ୍ଭାଳ ନହେଲେ ଆଗକୁ ପରିସ୍ଥିତି ହେବ ଅସମ୍ଭାଳ ।