ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଆଜିଠୁ ଆରମ୍ଭ ହେବାକୁ ଯାଉଛି ଜେଇଇ ମେନ ପରୀକ୍ଷା । ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ପରୀକ୍ଷା ଅନୁଷ୍ଠିତ ହେବ । ଦେଶରେ ୩୩୧ ଟି ସହରରେ ହେବ ଏହି ପରୀକ୍ଷା । ସାରା ଦେଶରେ ୪ ଟି ପର୍ଯ୍ୟାୟରେ ୨୨ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ।
କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଦୁଇଟି ସିଫ୍ଟରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ପ୍ରଥମ ସିଫ୍ଟ ୯ ଟାରୁ ୧୨ ଏବଂ ଦ୍ୱିତୀୟ ସିଫ୍ଟ ୩ ଟାରୁ ୬ ଟା ରହିଛି । ଏଣିକି ବର୍ଷକୁ ୪ ଥର ଛାତ୍ରଛାତ୍ରୀ ଜେଇଇ ମେନ୍ ପରୀକ୍ଷା ଦେବାର ସୁଯୋଗ ପାଇପାରିବ ।
ଫେବ୍ରୁଆରୀରେ ହେବାକୁ ଥିବା ପରୀକ୍ଷା ଲାଗି ୬ ଲକ୍ଷ ୬୧ ହଜାର ୭୬୧ ଜଣ ପିଲା ଆବେଦନ କରିଛନ୍ତି । ସେହିପରି ମାର୍ଚ୍ଚ ସେକ୍ସନ ଲାଗି ୫ଲକ୍ଷ ୪ ହଜାର ୫୪୦ , ଏପ୍ରିଲ ସେକ୍ସନ ପାଇଁ ୪ଲକ୍ଷ ୯୮ ହଜାର ୯୧୦ ଓ ମେ’ସେକ୍ସନ ପାଇଁ ପରୀକ୍ଷା ଲାଗି ୫ ଲକ୍ଷ ୯ ହଜାର ୯୭୨ ଜଣ ଆବେଦନ କରିଛନ୍ତି ।
କେବଳ ଓଡିଶାରୁ ପ୍ରାୟ ୪୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପଞ୍ଜିକରଣ କରିଛନ୍ତି । ଏହା ସମ୍ପୂର୍ଣ୍ଣ ଅନଲାଇନ ମୋଡରେ ପରୀକ୍ଷା ହେବ । ଏଥିପାଇଁ ରାଜ୍ୟର ୧୬ ଟି ସହରରେ ୮୫ ଟି କେନ୍ଦ୍ର କରାଯାଇଛି ।
ପରୀକ୍ଷାର୍ଥୀମାନେ ସେମାନଙ୍କ ସହ ୫୦ ମିଲି ସାନିଟାଇଜର ବୋତଲ ନେବା ଜରୁରୀ । ସଂକ୍ରମଣକୁ ରୋକିବା ପାଇଁ ପ୍ରାର୍ଥୀ ସବୁବେଳେ ମାସ୍କ ପିନ୍ଧିବେ, ସାମାଜିକ ଦୁରତ ରକ୍ଷା କରିବା ପାଳନ କରିବେ ବୋଲି ଏନଟିଏ ନିର୍ଦ୍ଦେଶ ଦେଇଛନ୍ତି ।