ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମହାରାଷ୍ଟ୍ର ଏବଂ ପଞ୍ଜାବ ପରେ ଏବେ ଗୁଜରାଟରେ ମଧ୍ୟ କରୋନା ବ୍ୟାପିବାରୁ ରୋକିବାକୁ କଟକଣା ଜାରି କରାଯାଇଛି । କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟର ଚାରୋଟି ମେଟ୍ରୋ ସହରରେ ମାର୍ଚ୍ଚ ୧୭ ରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ନାଇଟକର୍ଫ୍ୟୁ ଲଗାଇବାର ନିଷ୍ପତି ନେଇଛି ଗୁଜରାଟ ସରକାର । ଏହି ଚାରୋଟି ସହର ମଧ୍ୟରେ ରହିଛି ଅହମଦାବାଦ, ବଡୋଦରା, ସୁରଟ, ଏବଂ ରାଜକୋଟ ।
ଋିପୋର୍ଟ ମୁତାବକ, ଗୁଜରାଟରେ ମଧ୍ୟ କରୋନା ସଂକ୍ରମଣ ମାମଲା ବୃଦ୍ଧି ହେବାରେ ଲାଗିଛି । ରାଜ୍ୟରେ ଗତକାଲି ୮୯୦ ନୂତନ ମାମଲା ସାମ୍ନାକୁ ଆସିଥିଲା । ଏହି ନୂତନ ମାମଲା ପରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୭୯,୦୭୯ ରେ ପହଁଚିଛି । ସେହିପରି ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି କି,ସୁରଟରେ ରହୁଥିବା ଜଣଙ୍କର ଗତକାଲି ମୃତ୍ୟୁ ହୋଇଛି । ଅନ୍ୟପଟେ ସୋମବାର ଦିନ ସୁରଟରେ ୨୬୨, ଅହମଦାବାଦରେ ୨୦୯, ବଡୋଦରାରେ ୯୭ ଏବଂ ରାଜକୋଟରେ ୯୫ ମାମଲା ସାମ୍ନାକୁ ଆସିଥିଲା ।
ସୂଚନାଯୋଗ୍ୟ, ମହାରାଷ୍ଟ୍ର ଏବଂ ପଞ୍ଜାବର କିଛି ଜିଲ୍ଲାରେ କରୋନା ସଂକ୍ରମଣକୁ ବ୍ୟାପିବାରୁ ରୋକିବାକୁ ଲକଡାଉନ୍ ଏବଂ ନାଇଟ କର୍ଫ୍ୟୁ ଲଗେଇବାର ନିଷ୍ପତି ନିଆଯାଇଛି ।