ଆଶାମ(ଏଟିଆର ବ୍ୟୁରୋ): ମୂଷା, ବହି ପତ୍ର ଏବଂ ଡ୍ରେସ କାଟି ଦଉଥିବାର ଆପଣମାନେ ଜାଣିଥିବେ । କିନ୍ତୁ ଲକ୍ଷ ଲକ୍ଷ ଟଙ୍କା କାଟୁଥିବାର ଆପଣମାନେ ଶୁଣିନଥିବେ । ଆଜ୍ଞା ହଁ ଆଶାମର ତିନସୁକିଆ ଜିଲ୍ଳାରେ ଏଭଳି ଏକ ଘଟଣା ଘଟିଛି ।
ଏଠି ମୂଷା ପାଇଁ ନୋଟ୍ ବନ୍ଦୀ ହୋଇଛି । ଆଶାମର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ)ର ଏଟିଏମ୍ ଭିତରେ ମୂଷା ପଶି ୧୨ ଲକ୍ଷ ଟଙ୍କାର ନୋଟ କାଟି ଦେଇଛି । ଏହି ଏଟିଏମ୍ ରେ ମେ’ ମାସ ୨୯ ତାରିଖରେ ୨୯ ଲକ୍ଷ ଟଙ୍କା ଭର୍ତ୍ତି କରାଯାଇଥିଲା । କିନ୍ତୁ କୌଣସି ଯାନ୍ତ୍ରିକ ତୃଟି ପାଇଁ ମେ’ ୨୦ରୁ ଏହି ଏଟିଏମ ବନ୍ଦ ରହିଥିଲା ।
ଏହାପରେ କିଛି କର୍ମଚାରୀ ସେହି ଏଟିଏମ୍ ମେସିନ୍ ଠିକ୍ କରିବା ପାଇଁ ଜୁନ୍ ୧୧ରେ ପହଁଚିଥିଲେ । ଏବଂ ମେସିନ୍ ଖୋଲିବା ପରେ ମୂଷାଙ୍କ ଆତଙ୍କ ଦେଖିବାକୁ ମିଳିଥିଲା । ଯାହାକୁ ଦେଖିଲା ପରେ କର୍ମଚାରୀଙ୍କ ହୋସ ଉଡିଯାଇଥିଲା । ଏଟିଏମ୍ ରେ ଥିବା ସମସ୍ତ ୫୦୦ ଏବଂ ୨୦୦୦ ଟଙ୍କା ନୋଟ୍ ଖଣ୍ଡବିଖଣ୍ଡ ହୋଇଯାଇଥିଲା ।
ବ୍ୟାଙ୍କ ଅଧିକାରୀଙ୍କ କହିବାନୁସାରେ,ମୂଷା , ସର୍ବମୋଟ ୧୨ ଲକ୍ଷ ୩୮ ହଜାର ଟଙ୍କା ନଷ୍ଟ କରି ଦେଇଛି । ଗୋହାଟି ସ୍ଥିତ ଫାଇନାନସିଆଲ କଂପାନୀ ‘ଏଫଆଇଏଲ ଗ୍ଲୋବାଲ ବିଜ୍୍ନେସ ସଲ୍ୟୁସନ’ସଂଚାଳନ ଦାୟିତ୍ୱରେ ଏହି ଏଟିଏମ୍ ଥିଲା । ସେଥିରେ ମେ’ ୧୯ ରେ ୨୯ ଲକ୍ଷ ଟଙ୍କା ଭରି କରାଯାଇଥିଲା । ତାର ପରବର୍ତ୍ତୀ ଦିନ ଏଟିଏମ୍ ଖରାପ ହୋଇଯାଇଥିଲା ।