ବ୍ରହ୍ମପୁର,(ଏଟିଆର ବ୍ୟୁରୋ): ବିଲ ଭିତରେ ପଡିଛି ମହିଳାଙ୍କ ଅର୍ଦ୍ଧଉଲଗ୍ନ ମୃତଦେହ । ତାହା ପୁଣି ଅତି ବିଭତ୍ସ । ଅନୁମାନ କରାଯାଉଛି ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ସେପଟେ ମୃତ ମହିଳାଙ୍କ ଶରିରରେ ରହିଛି ଅନେକ କ୍ଷତ ଚିହ୍ନ । ତେବେ କିଏ ଓ କାହିଁକି ଏଭଳି କାଣ୍ଡ ଭିଆଇଛନ୍ତି ସେନେଇ କୌଣସି ସୂଚନା ମିଳିନଥିବା ବେଳେ ପୁଲିସ ମୃତଦେହକୁ ଜବତ କରି ଘଟଣାର ଖୋଳତାଡ ଆରମ୍ଭ କରିଛି । ଘଟଣାଟି ଗୋଳନ୍ଥରା ଥାନା ଅନ୍ତର୍ଗତ ରୁକୁଣା ଆଶ୍ରମ ନିକଟରେ ଘଟିଛି । ମୃତ ମହିଳା ହଳଦିଆପଦର ଅଞ୍ଚଳର ସଞ୍ଜୁ ବେହେରା ବୋଲି ଜଣାପଡିଛି ।
ରିପୋର୍ଟ ଅନୁସାରେ, ରବିବାର ଅପରାହ୍ଣରେ ସଞ୍ଜୁ ଘରୁ ବାହାରି ଗ୍ରୁପ ଟଙ୍କା ଉଠାଇବାକୁ ଯାଇଥିଲେ । ହେଲେ ଏହାପରେ ସେ ଆଉ ଘରକୁ ଫେରିନଥିିଲେ । ଆଜି ସକାଳୁ ତାଙ୍କ କ୍ଷତବିକ୍ଷକ୍ତ ମୃତଦେହ ହଳଦିଆପଦର ଓ ରାଳବ ମଝିରେ ଥିବା ରୁକୁଣା ଆଶ୍ରମ ପଛପଟ ବିଲରେ ପଡିଥିବା ଦେଖିବାକୁ ମିଳିଥିଲା । ଲୋକେ ଏନେଇ ପୁଲିସକୁ ସୂଚନା ଦେବେ ପରେ ପୁଲିସ ପହଞ୍ଚି ଘଟଣାର ଖୋଳତାଡ ଆରମ୍ଭ କରିଛି । ତେବେ ଏହି ଘଟଣାକୁ ନେଇ ଅନେକ ସନ୍ଦେହ ଜାତ ହୋଇଛି । ମୃତ ମହିଳା ରବିବାରରୁ ନିଖୋଜ ଥିବା ବେଳେ ପରିବାର ଲୋକେ କାହିଁକି ପୁଲିସ ନିକଟରେ ଅଭିଯୋଗ କରି ନାହାନ୍ତି ତାହା ସବୁଠୁ ବଡ଼ ପ୍ରଶ୍ନ?
ପୂରା ଘଟଣା ପଛରେ ପରିବାରର କେଉଁ ଲୋକଙ୍କ ହାତ ନାହିଁ ତ? ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ପୁଲିସ ସବୁ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି । ସେପଟେ ଗ୍ରୁପ ଟଙ୍କା ଭାଗଭଣ୍ଟାକୁ ନେଇ ମଧ୍ୟ ଏଭଳି ଘଟଣା ଘଟିପାରେ ବୋଲି ପୁଲିସ ସନ୍ଦେହ କରୁଛି । ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ସତ କ’ଣ ଜଣାପଡିବ ବୋଲି ପୁଲିସ କହିଛି । ସେହିପରି ସୋର ଅଞ୍ଚଳରେ ମଧ୍ୟ ସମାନ ଏକ ଘଟଣା ଘଟିଛି । ଦହିସଡା ପଞ୍ଚାୟତ ଅଫିସ ନିକଟ ରାସ୍ତାରୁ ଜଣେ ମହିଳାଙ୍କ ମୃତଦେହ ଜବତ କରିଛି ପୁଲିସ । ମୃତ ମହିଳାଙ୍କ ପରିଚୟ ମିଳିନାହିଁ ।