ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଗାମୀ ଦିନରେ କିଛି ସ୍ୱତନ୍ତ୍ର ଦେଶକୁ ଯାତ୍ରା କରିବା ପାଇଁ ବା କ୍ରିକେଟ ଦେଖିବା, ଫୁଟବଲ ମ୍ୟାଚ ଦେଖିବା, ସ୍କୁଲ ଯିବା ଆଦି କାମ ପାଇଁ କରୋନା ପାସପୋର୍ଟ ନିୟମ ଲାଗୁ ହୋଇପାରେ । ଆମେରିକାରେ ଏହି ନିୟମ ଲାଗୁ ହୋଇଥିବା ନଜରକୁ ଆସିଛି ।
ସୂଚନାଯୋଗ୍ୟ, ଏହି କରୋନା ପାସପୋର୍ଟ ବାସ୍ତବରେ କୋଭିଡ୧୯ ଟୀକାକରଣର ସାର୍ଟିଫିକେଟ ବା କରୋନା ନେଗେଟିଭ ହେବାର ଯାଞ୍ଚ ରିପୋର୍ଟ ହୋଇପାରେ ।
ବିଶେଷଜ୍ଞଙ୍କ ମୁତାବକ, ଦୁନିଆରେ ଏଭଳି କରୋନା ସାର୍ଟିଫିକେଟ ଉପରେ କାମ ଆରମ୍ଭ ହୋଇଗଲାଣି । ଆମେରିକାରେ ଅନେକ ମନ୍ତ୍ରୀ ଏଭଳି ପଦକ୍ଷେପକୁ ପ୍ରଶଂସା କରୁଛନ୍ତି । ଆମେରିକୀ ମନ୍ତ୍ରୀମାନଙ୍କ କହିବାନୁଯାୟୀ, ଏହାଦ୍ୱାରା ବ୍ୟବସାୟୀ, ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ସ୍କୁଲ ପୁନର୍ବାର ଆରମ୍ଭ କରିବାରେ ସହାୟକ ମିଳିବ । ଯାହାଫଳରେ ପୁନର୍ବାର ସ୍କୁଲକୁ ଫେରିପାରିବେ ଛାତ୍ରଛାତ୍ରୀ ଏବଂ ସପିଙ୍ଗ ଷ୍ଟୋରକୁ ମଧ୍ୟ ଗ୍ରାହକ ଆସିବେ । ଏହାସହିତ ଏହା କରୋନା ବ୍ୟାପିବାରୁ ରୋକିବାରେ ସହାୟକ ହେବ ।
ଅନେକ ଦେଶରେ ଅନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କ ଉପରେ କଟକଣା ଲାଗୁ କରାଯାଇଛି । ସେଥିପାଇଁ କରୋନା ପାସପୋର୍ଟ ହେବା ଦ୍ୱାରା କିଛି ଦେଶକୁ ଯାତ୍ରା ପାଇଁ ଅନୁମତି ମିଳି ପାରିବ ।