ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଲୟଡ ଅଷ୍ଟିନ୍ ଙ୍କ ସହ ପେଣ୍ଟାଗନ ରେ ସାକ୍ଷାତ କରିଛନ୍ତି ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଏହି ଅବସରରେ ଦୁଇ ନେତାଙ୍କ ମଧ୍ୟରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ଏହାସହିତ ଆମେରିକା ଭାରତକୁ କୋଭିଡ୧୯ ପାଇଁ ଜରୁରୀ କଞ୍ଚା ମାଲ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛି, ଯାହାଦ୍ୱାରା ଏଷ୍ଟ୍ରାଜେନେକା ଟୀକାର ଦୁଇ କୋଟି ଅତିରିକ୍ତ ଡୋଜ ପ୍ରସ୍ତୁତ ହୋଇ ପାରିବ । ଏହି ବୈଠକରେ ଆମେରିକା ବୈଦେଶିକ ମନ୍ତ୍ରୀ ବ୍ଲିଂକନ ମଧ୍ୟ ଉପସ୍ଥିତ ଥିଲେ ।
ଏନେଇ ଜୟଶଙ୍କର କହିଛନ୍ତି କି, ବୈଦେଶିକ ମନ୍ତ୍ରୀ ବ୍ଲିଂକନଙ୍କ ସହ ସାକ୍ଷାତ କରି ଖୁସୀ ଅନୁଭବ କରୁଛି । ଦ୍ୱିପାକ୍ଷୀୟ ସହଯୋଗର ବିଭିନ୍ନ ପ୍ରସଙ୍ଗ ସହିତ କ୍ଷେତ୍ରୀୟ ଏବଂ ବୈଷୟିକ ପ୍ରସଙ୍ଗ ଉପରେ ଚର୍ଚ୍ଚା ହୋଇଛି । ହିନ୍ଦ-ପ୍ରଶାନ୍ତ, କ୍ୱାଡ, ଆଫଗାନିସ୍ତାନ, ମ୍ୟାଂମା, ସଂଯୁକ୍ତ ରାଷ୍ଟ ସୁରକ୍ଷା ପରିଷଦ ତଥା ଅନ୍ୟ ଅନ୍ତରାଷ୍ଟ୍ରୀୟ ସଂଗଠନ ଉପରେ ଆଲୋଚନା ହୋଇଛି ।
ଜୟଶଙ୍କର ଆହୁରି ମଧ୍ୟ କହିଛନ୍ତି କି, ଦୁଇ ନେତା ଭାରତ-ଆମେରିକି ଟୀକା ସହଭାଗିତା ଉପରେ ମଧ୍ୟ ଆଲୋଚନା କରାଯାଇଛି ଯାହାର ଉଦ୍ଦ୍ୟେଶ ଟୀକାକୁ ବ୍ୟାପକ ବିସ୍ତାର କରିବା । ସେହିପରି ବୈଠକ ପରେ ଜୟଶଙ୍କର ସହ ସାକ୍ଷାତ କରି ଅଷ୍ଟିନ ମଧ୍ୟ ଖୁସୀ ବ୍ୟକ୍ତ କରିଛନ୍ତି ।