ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ସଜବାଜ । ଆସନ୍ତାକାଲି ପହିଲି ରଜ । ଓଡିଶାର ସାଂସ୍କୃତିକ ଗଣପର୍ବ ହେଉଛି ରଜ ମହୋତ୍ସବ । ଏହା ଓଡିଆମାନଙ୍କର ଏକ ବଡ ପର୍ବ । ଏହି ପର୍ବ ଗାଁଠୁ ନେଇ ସହର ପର୍ଯ୍ୟନ୍ତ ସବୁଠି ବେଶ ଧୁମ୍ ଧୁମ୍ ରେ ପାଳିତ ହୋଇଥାଏ । ସବୁଠି ପିଠାମିଠାର ମହକ ସହ , ଦୋଳି ଖେଳ ସାଙ୍ଗକୁ ଅନ୍ୟାନ୍ୟ ଖେଳକୁଦରେ ଦୁଲୁକିଥାଏ ପୁରପଲ୍ଲୀ । ହେଲେ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ କରୋନା ସଂକ୍ରମଣଙ୍କୁ ଦୃଷ୍ଟିରେ ରଖି ନିରାଡମ୍ବରରେ ପାଳିତ ହେବ ରଜ ପର୍ବ । ଫିକାପଡିବ ବରଷକେ ଥରେ ଆସିଥିବା ଏହି ରଜ ପର୍ବ ।
ଚାରିଦିନ ପାଳିତ ହୋଇଥାଏ ଗଣପର୍ବ ରଜ । ପ୍ରଥମ ଦିନକୁ ପହିଲି ରଜ ଭାବେ ପାଳନ କରାଯାଉଥିବା ବେଳେ ଦ୍ୱିତୀୟ ଦିନକୁ ରଜ ସଂକ୍ରାନ୍ତି ତୃତୀୟ ଦିନକୁ ଭୂମି ଦହନ ଏବଂ ଚତୁର୍ଥ ଦିନକୁ ବସୁମାତା ସ୍ନାନ ଭାବେ ପାଳନ କରାଯାଏ ।
ସେହିପରି ରଜର ପୂର୍ବଦିନକୁ ସଜବାଜ ବୋଲି କୁହାଯାଇଏ । ଏହିଦିନ ଝିଅମାନେ ଏକାଠି ହୋଇ ହାତରେ ମେହେନ୍ଦୀ, ନେଲପାଲିସ, ପାଦରେ ଅଳତା, ଏବଂ ମଥାରେ ଚନ୍ଦନଟୀପା ଲଗାଇ ସଜ ହୋଇଥାନ୍ତି । ଏହାପରେ ଅପେକ୍ଷା କରିଥାନ୍ତି ପହିଲି ରଜର ସେଇ ନୂଆ ସକାଳକୁ ।