ପୁରୀ (ଏଟିଆର ବ୍ୟୁରୋ): ୧୦୮ ଗରା ଜଳରେ ସ୍ନାନ ସାରି ଅଣସରପିଣ୍ଡିରେ ଜ୍ୱରରେ କମ୍ପୁଛନ୍ତି ଶ୍ରୀଜିଉ । ଏହି ଅବସରରେ ଶ୍ରୀମନ୍ଦୀରରେ ଦାରୁ ଦିଅଁଙ୍କ ବଦଳରେ ପୂଜା ପାଉଛନ୍ତି ପଟିଦିଅଁ । ତେବେ ଶ୍ରୀମନ୍ଦିରରେ ପଟିଦିଅଁ ଭାବେ କିଏ ପୂଜା ପାଆନ୍ତି ଆସନ୍ତୁ ଜାଣିବା । ବଡଠାକୁର ବଳଭଦ୍ରଙ୍କ ପଟିଦିଅଁ ଭାବେ ବାସୁଦେବ, ମା ସୁଭ୍ରଦ୍ରାଙ୍କ ପଟିଦିଅଁ ଭାବେ ଯାଜ୍ଞସେନୀ ଏବଂ ଜଗନ୍ନାଥଙ୍କ ପଟିଦିଅଁ ଭାବେ ନାରାୟଣ ପୂଜା ପାଉଛନ୍ତି ।
ତେବେ ଦାରୁ ଦେବତାମାନେ ରତ୍ନ ସିଂହାସନରେ ଯେଉଁ ରୂପରେ ପୂଜା ପାଆନ୍ତି ପଟ୍ଟଚିତ୍ର ଗୁଡ଼ିକ ସେହି ଆକୃତିର ନୁହେଁ । କାଷ୍ଠ ନିର୍ମିତ ସୁଦୃଶ୍ୟ ଆସରେ ବସିଥିବା ପରି ଅଙ୍କିତ ହୋଇଥିବା ଚିତ୍ରରେ ସମସ୍ତ ଦିଅଁ ଚତୁଃହସ୍ତ ଓ ଦୁଇପଦ ବିଶିଷ୍ଟ ହେଇ ପଦ୍ମାସନରେ ବସିଥାଆନ୍ତି । ବଳଭଦ୍ରଙ୍କ କଳେବର ଶ୍ୱେତବର୍ଣ୍ଣରେ ଚିତ୍ରିତ ହେଇଥାଏ । ଚତୁଃହସ୍ତରେ ସେ ଧରିଥାଆନ୍ତି ଶଙ୍ଖ, ଚକ୍ର, ଗଦା ଓ ହଳ । ହରିଦ୍ର ବର୍ଣ୍ଣା ସୁଭଦ୍ରା ଦୁଇ ଉର୍ଦ୍ଧ୍ୱ ହସ୍ତରେ ପଦ୍ମ ଧରିଥାଆନ୍ତି ଓ ନିମ୍ନ ହସ୍ତ ଦୁଇଟି ଥାଏ ବରଦା ମୁଦ୍ରାରେ । କଳା ରଙ୍ଗରେ ଚିତ୍ରିତ ଜଗନ୍ନାଥ ଚାରିହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧରିଥାଆନ୍ତି । ସମସ୍ତ ଦେବତାଙ୍କ ପୃଷ୍ଠପଟ୍ଟ ଗାଢ଼ନାଲି ରଙ୍ଗ ହେଇଥାଏ ।