ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନାର ଦ୍ୱିତୀୟ ଲହର ଏବେ ଥମୁଥିବା ବେଳେ ଏବେ ଡେଲ୍ଟା ଭ୍ୟାରିଏଣ୍ଟ ଲୋକଙ୍କ ଚିନ୍ତା ବଢାଇଛି । ଏହାରି ମଧ୍ୟରେ ଭାରତ ବାୟୋଟେକ କୋଭାକ୍ସିନର ତୃତୀୟ ପର୍ୟ୍ୟାୟ ପରୀକ୍ଷଣର ଫଳାଫଳ ପ୍ରକାଶ କରିଛି ଯେଉଁଥିରେ କରୋନା ସଂକ୍ରମଣ ବିରୁଦ୍ଧରେ ଏହି ଟିକା ୭୮ ପ୍ରତିଶତ ପ୍ରଭାବଶାଳୀ ବୋଲି ଦାବି କରାଯାଇଛି। ଏଥି ସହିତ, କରୋନାର ଡେଲଟା ଭ୍ୟାରିଏଣ୍ଟ ବିରୁଦ୍ଧରେ, ଏହା ୬୫.୨ ପ୍ରତିଶତ ପର୍ୟ୍ୟନ୍ତ ପ୍ରଭାବଶାଳୀ ।
ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ କମ୍ପାନୀ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ଫଳାଫଳ ପ୍ରକାଶ କରିଛି । ଏଥିରେ ଦର୍ଶାଯାଇଛି ଯେ ଭାରତରେ କରୋନା ବିରୋଧରେ ଯୁଦ୍ଧରେ କରୋନା ଟିକା କୋଭାକ୍ସିନ ସବୁଠାରୁ ବଡ ଅସ୍ତ୍ର ବୋଲି ପ୍ରମାଣିତ ହେବ। ଭରତ ବାୟୋଟେକ୍ ମଧ୍ୟ ପରୀକ୍ଷଣର ତୃତୀୟ ପର୍ୟ୍ୟାୟରେ ୧୩୦ କରୋନା ସଂକ୍ରମଣ ରୋଗୀଙ୍କୁ ଅନ୍ତର୍ଭୁକ୍ତ କରିଥିଲା । ଏଗୁଡିକର ବିଶ୍ଳେଷଣ କରିବା ପରେ କମ୍ପାନୀ କହିଛି ଯେ କରୋନା ସଂକ୍ରମଣ ବିରୁଦ୍ଧରେ କୋଭାକ୍ସିନ ୭୭.୮ ପ୍ରତିଶତ ପର୍ୟ୍ୟନ୍ତ ପ୍ରଭାବଶାଳୀ ହୋଇଛି।