ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ଚିନ୍ତା ବଢାଉଛି କରୋନା ମୃତ୍ୟୁ ସଂଖ୍ୟା । ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ । ଜୀବନ ପରେ ଜୀବନ ନେଇ ଚାଲିଛି ଭାଇରସ । ଦୈନିକ ମୃତ୍ୟୁସଂଖ୍ୟା ୬୦ ଉପରକୁ ରହୁଥିବା ବେଳେ ୬୦ ତଳକୁ ଖସିଛି ମୃତ୍ୟୁ ସଂଖ୍ୟା । ସେହିଅନୁଯାୟୀ ଗୋଟେଦିନରେ ରାଜ୍ୟରୁ କରୋନାରେ ପୁଣି ୫୮ ଆକ୍ରାନ୍ତ ଆଖି ବୁଜିଛନ୍ତି । ଏହାପରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୫୧୧୬ ରେ ପହଁଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୧୯ଜଣ , ବରଗଡ଼ ଜିଲ୍ଲାରୁ ୭ଜଣ ,ଗଞ୍ଜାମ ଜିଲ୍ଲାରୁ ୫ଜଣ , ବଲାଙ୍ଗୀର ଜିଲ୍ଲାରୁ ୪ଜଣ ରହିଛନ୍ତି । କଟକ, ପୁରୀ, ବାଲେଶ୍ୱର , ସମ୍ବଲପୁର ଜିଲ୍ଲାରୁ ୩ଜଣ ଲେଖାଏଁ ରହିଥିବା ବେଳେ ଭଦ୍ରକ, କେନ୍ଦ୍ରାପଡ଼ା,ଅନୁଗୁଳ, ଜିଲ୍ଲାରୁ ୨ଜଣ ଲେଖାଏଁ ରହିଛନ୍ତି । ସେହିପରି ବୌଦ୍ଧ, ଢେଙ୍କାନାଳ, ଯାଜପୁର , ଝାରସୁଗୁଡ଼ା, ମୟୁରଭଞ୍ଜ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।