ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସନ୍ତାକାଲି ଅର୍ଥାତ ଅଗଷ୍ଟ ୧୬ ରେ ପଡୁଛି ଶ୍ରାବଣ ମାସର ଶେଷ ସୋମବାର । ଏହି ମାସ ଭଗବାନ ଶିବଙ୍କର ଅତି ପ୍ରିୟ ମାସ । ଯାହା ଏବେ ଶେଷ ହେବାକୁ ଯାଉଛି । ଶ୍ରାବଣ ମାସ ସାରା ବାବା ଭୋଳାନାଥଙ୍କ ଆରାଧନା କରାଯାଇଥାଏ । ଖାସ୍ କରି ସୋମବାର ଦିନ ଶିବ ବାବାଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ । ଭଗବାନ ଶିବ ପୂଜାରେ ପ୍ରସନ୍ନ ହୋଇ ତାଙ୍କ ଭକ୍ତଙ୍କ ଉପରେ କୃପା ବର୍ଷା କରିଥାନ୍ତି । କିନ୍ତୁ ରାହୁ କାଳରେ ପୂଜାର୍ଚ୍ଚନା ଠାରୁ ଦୂରେଇ ରହିବା ଉଚିତ୍ । ସୋମବାର ୯ଟା ଯାଏଁ ରାହୁ କାଳ ରହୁଛି । ସେଥିପାଇଁ ୯ଟା ପରେ ପୂଜା କରିବା ଶୁଭ ।
ପଞ୍ଚାଙ୍ଗ ଅନୁସାରେ ଅଗଷ୍ଟ ୧୬ ସୋମବାର ଦିନ ଶ୍ରାବଣ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ପଡୁଛି । ଏହିଦିନ ଚନ୍ଦ୍ରମା ବିଛା ରାଶିରେ ବିରାଜମାନ ରହିବେ । ସେହିପରି ଶ୍ରାବଣ ଶେଷ ସୋମବାରର ମହତ୍ୱ ଖୁବ୍ ଅଧିକ ରହିଛି । ଏହିଦିନ ବ୍ରତ ରଖି ପୂଜାର୍ଚ୍ଚନା କରିବା ଦ୍ୱାରା ଭୋଳାନାଥ ପ୍ରସନ୍ନ ହୋଇ ଭକ୍ତର ସମସ୍ତ ମନସ୍କାମନା ପୂରଣ କରିଥାନ୍ତି । କିନ୍ତୁ ବ୍ରତ ରଖିବା ସମୟରେ ମନରେ କୌଣସି ପ୍ରକାରର ନକରାତ୍ମକ ଚିନ୍ତାଧାରା ରଖିବା ଉଚିତ୍ ନୁହେଁ । ଶାନ୍ତ ମନରେ ବାବାଙ୍କ ଆରାଧନା କରିବା ଶୁଭ ହୋଇଥାଏ ।
ଅନ୍ୟପଟେ ଅଗଷ୍ଟଳ ୨୨ ତାରିଖ ରବିବାର ଶେଷ ହେଉଛି ଶ୍ରାବଣ ମାସ । ଏହିଦିନ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି ଧନିଷ୍ଠା ନକ୍ଷତ୍ର ।