ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଗତକାଲି ଦଳମତ ନିର୍ବିଶେଷରେ ଯେଉଁଭଳି ଭାବରେ ସମସ୍ତ ରାଜନୌତିକ ଦଳର ନେତୃବୃନ୍ଦ ଏବଂ କୋରାପୁଟ ଜିଲ୍ଲାର ବିଧାୟକବନ୍ଧୁ ଓ ରାଜ୍ୟ ପ୍ରଶାସନ କୋରାପୁଟର କୋଟିଆ ବିବାଦ ପ୍ରସଙ୍ଗରେ ମିଳିତ ଭାବରେ ଆନ୍ଧ୍ର ପ୍ରଶାସନ ଓ ରାଜନେତା ମାନଙ୍କୁ ପ୍ରତିହିତ କଲେ ତାହାହିଁ ସମୟ ଓ ପରିସ୍ଥିତିର ଆବଶ୍ୟକତା ଥିଲା ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିବା ସହ କୋଟିଆ ବିବାଦ ପ୍ରସଙ୍ଗରେ ଏକଜୁଟ ହୋଇଥିବା ସମସ୍ତ ରାଜନୈତିକ ଦଳର ନେତୃବୃନ୍ଦ ଏବଂ ରାଜ୍ୟ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ।
ସେ କହିଛନ୍ତି କୋଟିଆ ଓଡିଶାର ଏକ ଅବିଚ୍ଛେଦ୍ୟ ଅଙ୍ଗ ଓ ଏଥିପ୍ରତି ପଡୋଶୀ ଆନ୍ଧ୍ରପ୍ରଦେଶ ଯେଉଁ ଅଯଥା ବିବାଦ ସୃଷ୍ଟିକରୁଛି ତାହାକୁ ବହୁପୂର୍ବରୁ ଏହିଭଳି ଢଙ୍ଗରେ ପଣ୍ଡ କରିବାର ଆବଶ୍ୟକତା ଥିଲା । ଓଡ଼ିଶାର ସ୍ୱାର୍ଥକୁ ସର୍ବାଗ୍ରେ ରଖି ମଧୁବାବୁ, ଗୋପବନ୍ଧୁଙ୍କୁ ସ୍ମରଣ କରି ଓଡ଼ିଶାର ମାଟିକୁ ରକ୍ଷା କରିବା ପାଇଁ ସମସ୍ତେ ଆପ୍ରାଣ ଉଦ୍ୟମ କରିବା ଉଚିତ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।