ବ୍ରହ୍ମପୁର,(ଏଟିଆର ବ୍ୟୁରୋ): ଉଦୁଉଦିଆ ଖରାବେଳେ ଲୁଟେରାଙ୍କ ତାଣ୍ଡବ । ବିଚ ରାସ୍ତାରେ ଓ ଥାନାଠୁ ମାତ୍ର ଦୁଇ କିଲୋମିଟର ଦୂରରେ କଲେ ଲୁଟପାଟ । ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଲିକୋଟ ଅଞ୍ଚଳରେ । ୨୫ଲକ୍ଷ ଟଙ୍କା ଲୁଟ କରି ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ । ସେପଟେ ଅଭିଯୋଗ ପାଇବା ପରେ ଏବେ ପୁଲିସ ଘଟଣାର ଖୋଳତାଡ ଆରମ୍ଭ କରିଛି ।
ବିଭିନ୍ନ ମୁଖ୍ୟ ରାସ୍ତାକୁ ସିଲ କରି ପୁଲିସ ଅଭିଯୁକ୍ତଙ୍କୁ ଧରିବା ଲାଗି ତନାଘନା ଚଳାଇଛି । ଏଯାବତ ଲୁଟେରାଙ୍କ କୌଣସି ପତ୍ତା ମିଳିନାହିଁ । ମିଳିଥିବା ରିପୋର୍ଟ ଅନୁସାରେ, ଗୋରପାଲି ଚେକ ଗେଟର ୩ଜଣ କର୍ମଚାରୀ ୨୫ଲକ୍ଷ ଟଙ୍କା ନେଇ ଖଲିକୋଟରେ ଥିବା ଏକ୍ସିସ ବ୍ୟାଙ୍କରେ ଡିପୋଜିଟ କରିବାକୁ ଯାଉଥିଲେ । ତେବେ ଅଚାନକ ହରିଡାମୂଳା ଛକ ପାଖରେ ୫ଜଣ ଦୁର୍ବୃତ୍ତ ଦୁଇଟି ବାଇକରେ ଆସି ସେମାନଙ୍କୁ ଅଟକାଇଥିଲେ । ଏହାପରେ ସେମାନେ ଟଙ୍କା ଭର୍ତ୍ତି ବ୍ୟାଗକୁ ଛଡାଇବାକୁ ଚେଷ୍ଟା କରୁଥିବା ବେଳେ ସାମାନ୍ୟ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା । ଏହାପରେ ଦୁର୍ବୃତ୍ତମାନେ ବ୍ଲାଙ୍କ ଫାୟାରିଂ କରି ଟଙ୍କା ନେଇ ଛୁ ମାରିଥିବା ଅଭିଯୋଗ ହୋଇଛି । ପୁଲିସ ଘଟଣାସ୍ଥଳରୁ ଏକ ଖୋକା ଜବତ କରିଛି ।