ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ସିବିଆଇ ସ୍କାନରରେ ମନ୍ତ୍ରୀଙ୍କ ପୁଅ । ଚିଟଫଣ୍ଡ ଲିଙ୍କରେ କେଉଁଠି ନା କେଉଁଠି ଜଡିତ ଥିବା ସୁରାକ ମିଳିବା ପରେ ମନ୍ତ୍ରୀଙ୍କୁ ପୁଅକୁ ଟାର୍ଗେଟ କରିଛି ସିବିଆଇ । ସିଧା କାର୍ଯ୍ୟାଳୟକୁ ଡାକି ମାରାଥନ ଜେରା କରୁଛି । କିଭଳି ଓ କାହା ଜରିଆରେ ସେ ଚିଟଫଣ୍ଡ ସହ ଜଡିତ ହେଲେ ତାର କ୍ଷିଅ ଖୋଜୁଛି । ସିବିଆଇ ସ୍କାନରକୁ ଆସିଥିବା ଭଦ୍ରବ୍ୟକ୍ତି ଜଣଙ୍କ ହେଉଛନ୍ତି ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ ବିପ୍ଳବ ପାତ୍ର ।
ଏଟି ଚିଟଫଣ୍ଡ ମାମଲାରେ ତାଙ୍କର ସମ୍ପୃକ୍ତି ଥିବା ଜାଣିବାକୁ ପାଇଛି ସିବିଆଇ । ସେପଟେ ଢ଼େରଦିନ ଧିମା ପଡିଥିବା ସିବିଆଇ ଅଚାନକ ମନ୍ତ୍ରୀଙ୍କ ପୁଅକୁ ଜେରା କରିବା ପରେ ଘଟଣାକୁ ନେଇ ରାଜନୈତିକ ମହଲରେ ଅନେକ ଚର୍ଚ୍ଚା ହେଉଛି । ନିର୍ବାଚନକୁ ଆଖି ଆଗରେ ରଖି ସିବିଆଇ ଏହି ଅଭିଯାନ ଆରମ୍ଭ କରିଥିବା ଶୁଣିବାକୁ ମିଳୁଛି । ଏଟି ଗ୍ରୁପ ଟଙ୍କାରେ ସହିଦନଗର ଅଞ୍ଚଳରେ ଥିବା ବିପ୍ଳବଙ୍କ ଅଫିସରେ ଅନେକ କମ୍ପ୍ୟୁଟର ଲାଗିଥିବା ଅଭିଯୋଗ ହେବା ପରେ ସିବିଆଇ ଘଟଣାର ଖୋଳତାଡ ଆରମ୍ଭ କରିଛି । ଏନେଇ ବିପ୍ଳବଙ୍କ କୌଣସି ପ୍ରତିକ୍ରୀୟା ମିଳିପାରିନାହିଁ ।