ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆନ୍ଧ୍ର ମାଛରେ ଫାର୍ମାଲିନ୍ ମିଶାଯାଉଥିବା ପ୍ରମାଣ ହେବା ପରେ । ଓଡିଶା ମାଛ ବଜାରରୁ ଲୋକେ ମାଛ କିଣିବାକୁ ଭୟ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ମାଛ ଗୁଡିକୁ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ପ୍ରଦୀପ ମହାରଥୀ । ଏହି ଯାଞ୍ଚ ଅନୁଯାୟୀ ଭୁବନେଶ୍ୱର ମାଛରେ ବି ମିଳିଲା ମାରତ୍ମକ ଫାର୍ମାଲିନ ।
ମତ୍ସ୍ୟ ମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶକ୍ରମେ ପଶୁସମ୍ପଦ ବିଭାଗର ୧୩ ଜଣିଆ ଟିମ୍ ରାଜଧାନୀର ସବୁଠାରୁ ବଡ଼ ମାଛ ବିକ୍ରି କେନ୍ଦ୍ର ୪ ନମ୍ବର ମାଛ ହାଟରୁ ୮ ପ୍ରକାର ମାଛ ଆଣି ନମୂନା ସଂଗ୍ରହ କରିଥିଲେ । ସେହି ସବୁ ମାଛ ମଧ୍ୟରୁ ପାମ୍ପଲେଟ ମାଛରେ ଫର୍ମାଲିନ ଦିଆଯାଉଥିବା ଜଣାପଡିଛି ।
ପ୍ରକାଶଯୋଗ୍ୟ କି, ବୁଧବାର ଆସାମ ସରକାର ମାଛରେ ଫାର୍ମାଲିନ ମିଶ୍ରିତ ହେଉଥିବା ନେଇ ଆନ୍ଧ୍ର ମାଛ ଉପରେ ବ୍ୟାନ ଲଗାଇଛନ୍ତି । ଫାର୍ମାଲିନ ଏକ ପ୍ରକାର ମାରାତ୍ମକ ରାସାୟନିକ । ଏହି ରାସାୟନିକ ଦ୍ୱାରା କୌଣସି ବି ମୃତ ଶରୀରକୁ ସତେଜ ରଖାଯାଇପାରେ । ଯଦି ଏହା ଆମ ଶରୀରକୁ ପ୍ରବେଶ କରେ, ତେବେ ଏହାଦ୍ୱାରା କ୍ୟାନସର ରୋଗ ସୃଷ୍ଟି ହେବାର ଆଶଙ୍କା ରହିଛି । ଏନେଇ ଆସାମ ସରକାର ଆନ୍ଧ୍ର ମାଛ ଉପରେ କଟକଣା ଜାରି କରିଛନ୍ତି । ଏହା ଜାଣିବା ପରେ ରାଜ୍ୟବ୍ୟାପୀ ଚଳଚଂଚଳ ହୋଇ ଉଠିଛି । ତେଣୁ ଗତକାଲି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ପ୍ରଦୀପ ମହାରଥୀ ମାଛରେ ପ୍ରଲେପ ଦିଆଯାଉଛି କି ନାହିଁ, ସତ୍ୟତା ଜାଣିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶକ୍ରମେ ମାଛର ନମୂନା ସଂଗ୍ରହ କରାଯାଇଥିଲା । ହେଲେ ଏଥିରୁ ଜଣାପଡିଛି କି, ପାମ୍ପଲେଟ ମାଛରେ ଫର୍ମାଲିନ ପ୍ରଲେପ ପ୍ରୟୋଗ କରାଯାଉଛି ।