ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଦାୟିତ୍ୱ ଲୋକଙ୍କ ଧନଜୀବନ ସୁରକ୍ଷା କରିବା । ହେଲେ ଦିନକୁ ଦିନ ଚିତ୍ର ପୂରା ଓଲଟା ନଜରକୁ ଆସୁଛି । ରକ୍ଷା କରିବା କଥା ଦୂରେଥାଉ ବିଚ ରାସ୍ତାରେ କରୁଛନ୍ତି ଗୁଣ୍ଡାଗିରି । ଆମେ କହୁଛୁ କମିଶନରେଟ ପୁଲିସର ଟ୍ରାଫିକ ବ୍ୟବସ୍ଥା କଥା । ହେଲେମେଟ ଓ ସିଟବେଲ୍ଟ ନାଁରେ ଏବେ ଟ୍ରାଫିକ କନଷ୍ଟେବଳ ଗୁଣ୍ଡାଗିରି କରୁଛନ୍ତି । ସାଧାରଣ ଲୋକଙ୍କୁ ବିଧା ଗୋଇଠା ମାରିବାକୁ ବି ପଛାଉନାହାନ୍ତି । ଯାହା ଏବେ କ୍ୟାମେରାରେ କଏଦ ହୋଇଛି । ଭିଜୁଆଲ ଦେଖିଲେ ଲାଗୁଛି ରାଜସ୍ୱ ଆଦାୟ ନୁହେଁ ଯେମିତି ନିଜ ପକେଟ ଗରମ ଲାଗି ଯେ କୌଣସି ସ୍ତରକୁ ଓହ୍ଲାଇବାକୁ ତୟାର ରହୁଛନ୍ତି ଟ୍ରାଫିକ ପୁଲିସ ।
ଖାସ କରି ଚନ୍ଦ୍ରଶେଖରପୁର ଅଞ୍ଚଳରେ ଡ୍ୟୁଟି କରୁଥିବା ଟ୍ରାଫିକ କନଷ୍ଟେବଳ ଅତ୍ୟଧିକ ଉତ୍ପାତ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି । ଆଇନ କହୁଛି ଗାଡିର ସିଟବେଲ୍ଟ ହେଉ କି’ ବାଇକରେ ହେଲମେଟ ନପିନ୍ଧିବା, ଯଦି କୌଣସି ବ୍ୟକ୍ତି ଘଟଣାସ୍ଥଳରେ ଫାଇନ କାଟିବାକୁ ସକ୍ଷମ ନୁହେଁ ତେବେ ପୁଲିସ ଗାଡି ନମ୍ବର ଉପରେ ନୋଟିସ ଜାରି କରି ପାରିବ । ହେଲେ ଭୁବନେଶ୍ୱରରେ ଘଟଣାସ୍ଥଳରେ ହିଁ ଟଙ୍କା ଦେବାକୁ ବାଧ୍ୟ କରୁଛନ୍ତି ପୁଲିସ କର୍ମଚାରୀ । ଓଲମବିଲମ ହେଲେ ଓଲଟି ପୁଲିସିଆ ପାଠ ପଢ଼ାଇ ଲୋକଙ୍କୁ ଯାଇଛାତା ବକୁଛନ୍ତି । ନିକଟ ଦିନରେ ଜଣେ ମେଡିକାଲ ଆସିଥିବା ବ୍ୟକ୍ତିଙ୍କୁ କଳିଙ୍ଗ ହସପିଟାଲ ଛକରେ ଅଟକାଇ ପୁଲିସ ର୍ଦୁବ୍ୟବହାର କରିଥିବା ଘଟଣା ସାମ୍ନାକୁ ଆସିଥିଲା । ଏବେ ପୁଣି ଥରେ ପୁଲିସର ଆଉ ଏକ ଦାଦାଗିରି ସାମ୍ନାକୁ ଆସିଛି । ଜୟଦେବବିହାର ଛକ ପାଖରେ ଜଣେ ଟ୍ରାଫିକ କନଷ୍ଟେବଳ ଜଣେ ବ୍ୟକ୍ତିଙ୍କୁ ନିର୍ଘାତ ମାଡ ମାରୁଥିବା ଭିଜୁଆଲ ଏବେ ଭାଇରାଲ ହୋଇଛି ।
ଏଠି ପ୍ରଶ୍ନ ସାଧାରଣ ଲୋକଙ୍କୁ ମାଡ଼ ମାରିବାକୁ ଟ୍ରାଫିକ ପୁଲିସକୁ ଅଧିକାର ଦେଲା କିଏ? ଯଦି ଜଣେ ଫାଇନ କାଟୁନାହିଁ ତେବେ ତାଙ୍କୁ ନୋଟିସ କରିବାର ଅଧିକାର ଥିବା ବେଳେ ରାସ୍ତା ଉପରେ ଏତେ ଉତ୍ପାତ ହେବାର ମାନେ କଣ? ସିଧା କହିବାକୁ ଗଲେ ବହୁ ଟ୍ରାଫିକ ପୁଲିସ କନଷ୍ଟେବଳ ଡ୍ୟୁଟି ସାରିବା ପରେ ନିଜେ ମଧ୍ୟ ହେଲମେଟ ପିନ୍ଧୁନଥିବା ନଜରକୁ ଆସୁଛି । ଏହା ଉପରେ କାହିଁକି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଉନାହାନ୍ତି ବୋଲି ଲୋକ ପ୍ରଶ୍ନ କରିଛନ୍ତି । କେବଳ ଏତିକି ନୁହେଁ ସେମାନଙ୍କ ଗାଡିର ନମ୍ବର ପ୍ଲେଟରେ ବି ଯାତ୍ରା ହୋଇଛି । ତାହା କିଭଳି ଆଖିକୁ ଦେଖାଯାଉନାହିଁ? ଏ ତମାମ ଘଟଣାକୁ ଦେଖିଲେ ଗୋଟିଏ କଥା ସ୍ପଷ୍ଟ ହେଉଛି ନିଜ ଆଖିକୁ ଆଙ୍ଗୁଠି ଯାଏନି ବୋଲି ପ୍ରମାଣ କରୁଛି ଟ୍ରାଫିକ ପୁଲିସ? ସୂଚନାଯୋଗ୍ୟ, ବିଗତ କିଛିଦିନ ହେବ ଟ୍ରାଫିକ କନଷ୍ଟେବଳଙ୍କ ଉତ୍ପାତ ବଢ଼ିବାରେ ଲାଗିଛି । ପୁଲିସ ଡିଜି ସାଧାରଣ ଲୋକଙ୍କୁ ଭଲ ବ୍ୟବହାର ଦେଖାଇବାକୁ କହୁଥିବା ବେଳେ ଏମାନେ ସେଠାରେ ଗୁଣ୍ଡାଗିରି କରୁଛନ୍ତି । ଯାହା ଅତ୍ୟନ୍ତ ର୍ଦୁଭାଗ୍ୟର ବିଷୟ ।
ସବୁଠୁ ବଡ଼ କଥା ହେଉଛି ଏବେ କିଛିଦିନ ହେବ କମିଶନରେଟ ପୁଲିସ ପକ୍ଷରୁ ଟ୍ରାଫିକ ସ୍ୱେଚ୍ଛାସେବୀ କାମ କରୁଛନ୍ତି । ତେବେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସେମାନେ ବି ମଧ୍ୟ ଆଉ ଇନ୍ଦ୍ରଚନ୍ଦ୍ର ମାନୁନାହାନ୍ତି । ମୁଣ୍ଡରେ ହେଲମେଟ ନଥିଲେ ଯେମିତି ଲୋକଟି କାହାକୁ ହତ୍ୟା କରିକି ଫେରାର ରହିଥିବା ଭଳି ବ୍ୟବହାର କରୁଛନ୍ତି । ତେବେ ପୁଲିସର ଏହି ଯାଞ୍ଚକୁ ଆମେ ବିରୋଧ କରୁନାହୁଁ । କିନ୍ତୁ ଯାଞ୍ଚ ଯାଞ୍ଚ ଭଳି ହେବା ଦରକାର । ୧୦୦ କିମ୍ବା ୫ଶହ ଟଙ୍କା କାଟିଦେଲେ ସବୁ ଯାଞ୍ଚ ବନ୍ଦ ହୋଇଯାଉଛି । ତେଣିକି ସେ ଚୋରା ଗାଡି ହେଉନା କାହିଁକି । ବର୍ତ୍ତମାନ ଏମିତି ଚେକିଂ ହେଉଛି ଭୁବନେଶ୍ୱରରେ । ଗାଡି କାଗଜପତ୍ର ଅପେକ୍ଷା ସିଟବେଲ୍ଟ ଓ ହେଲମେଟ ପଛରେ ମାତିଛି ପୁଲିସ । ଏହାକୁ ବାଦଦେଇ ଗାଡିର କାଗଜପତ୍ରକୁ ଯଦି ଭଲଭାବେ ଯାଞ୍ଚ କରାଯାଏ ତେବେ ଚୋରଙ୍କ ଉତ୍ପାତ କମିବ ବୋଲି ଲୋକେ ମତ ଦେଇଛନ୍ତି ।