ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଛି ଶାରଦୀୟ ନବରାତ୍ରୀ । ଆଶ୍ୱୀନ ଶୁକ୍ଳ ପକ୍ଷ ପ୍ରତିପଦା ତିଥିରେ ଶାରଦୀୟ ନବରାତ୍ରୀ ଆରମ୍ଭ ହୋଇ ଅକ୍ଟୋବର ୪ ଯାଏଁ ଚାଲିବ । ସେହିପରି ଅକ୍ଟୋବର ୫ ରେ ଦଶହରା । ନବରାତ୍ରୀର ନଅ ଦିନ ଯାକ ମା ଦୁର୍ଗାଙ୍କର ୯ଟି ସ୍ୱରୂପକୁ ବିଧି ବିଧାନର ସହ ପୂଜାର୍ଚ୍ଚନା କରାଯିବାର ପରମ୍ପରା ରହିଛି ।
ଚଳିତବର୍ଷ ଆଶ୍ୱୀନ ନବରାତ୍ରୀର ଖାସ୍ ମହତ୍ୱ ରହିଛି । କାରଣ ନବରାତ୍ରୀର ପ୍ରଥମ ଦିନ ଶୁଭ ଯୋଗର ସଂଯୋଗ ରହିଛି । ଏହାସହିତ ଏଥରକ ମା ହାତୀ ଉପରେ ବସି ଧରାପୃଷ୍ଠକୁ ଆଗମନ କରିବେ । ମାଙ୍କର ଏହି ବାହାନ ଶୁଭ ସଂକେତ ନେଇ ଆସିଥାଏ ।
ଏଥରକ ଶାରଦୀୟ ନବରାତ୍ରୀର ପ୍ରଥମ ଦିନ ଦୁଇଟି ଶୁଭ ଯୋଗର ସଂଯୋଗ ରହିଛି । ମାନ୍ୟତା ରହିଛି କି ଏହି ଯୋଗରେ ଶକ୍ତିଙ୍କ ଆରାଧନା କରିବା ଦ୍ୱାରା ବ୍ୟକ୍ତିଙ୍କ ଭାଗ୍ୟ ଖୋଲିଥାଏ ।
ଶୁକ୍ଳ ଯୋଗ- (୨୫ ସେପ୍ଟମ୍ବର ସକାଳ ୯ଟା ୬ ରୁ ୨୬ ସେପ୍ଟମ୍ବର ସକାଳ ୮ ଟା ୬ ମିନିଟ ଯାଏଁ ରହିଛି)
ଶୁକ୍ଳ ଯୋଗର ମହତ୍ୱ- ଏହି ଯୋଗରେ କରାଯାଇଥିବା କାର୍ଯ୍ୟ ବିନା ବାଧାରେ ପୂରଣ ହୋଇଥାଏ । ଏହି ଯୋଗରେ ବ୍ୟକ୍ତିଙ୍କର ମନ୍ତ୍ର ସାଧନା ସିଦ୍ଧି ହୋଇଥାଏ ।
ବ୍ରହ୍ମ ଯୋଗ-(୨୬ ସେପ୍ଟମ୍ବର ସକାଳ ୮ଟା ୬ ରୁ ୨୭ ସେପ୍ଟମ୍ବର ସକାଳ ୬ଟା ୪୪ ମିନିଟ ଯାଏଁ ରହିଛି )
ବ୍ରହ୍ମ ଯୋଗର ମହତ୍ୱ- ଏହି ଯୋଗରେ ପ୍ରତ୍ୟେକ ବାଧାକୁ ଦୂର କରିବାର କ୍ଷମତା ରହିଥାଏ । ଏହି ଯୋଗରେ ମା ଦୁର୍ଗାଙ୍କ ପୂଜା କରିବା ଦ୍ୱାରା ଶତୃଙ୍କୁ ସାମ୍ନା କରିବାର ଶକ୍ତି ପ୍ରାପ୍ତ ହୋଇଥାଏ ।