ଭୁବନେଶ୍ୱର,(ଏଟିଆର ବ୍ୟୁରୋ): କି ଖରା କି’ ବର୍ଷା ସବୁବେଳେ ସଜାଗ । ଉଦ୍ଦେଶ୍ୟ କେବଳ ଲୋକଙ୍କ ଧନଜୀବନ ସୁରକ୍ଷା । ହେଲେ ଏହି ସୁରକ୍ଷା ଯୋଗାଉଥିବା ଟ୍ରାଫିକ୍ ପୁଲିସ ଏବେ କେତେ ସୁରକ୍ଷିତ? ଏ ପ୍ରଶ୍ନ ଆଜି ଏଥିପାଇଁ ଉଠିଛି କାରଣ ଜଣେ ମହିଳା ଟ୍ରାଫିକ କନଷ୍ଟେବଳଙ୍କୁ ଆକ୍ରମଣ ସହ ବିଚ ରାସ୍ତାରେ ଅସଦାଚରଣ କରାଯାଇଥିବା ଅଭିଯୋଗ ଉଠିଛି ।
ଖାରବେଳନଗର ଥାନା ଅଧିନ ହାଉସିଂବୋର୍ଡ ଛକରେ ଗୁରୁବାର ସନ୍ଧ୍ୟାରେ ଘଟିଛି ଏମିତି କିଛି ଘଟଣା । ଅଭିଯୋଗ ପାଇବା ପରେ ପୁଲିସ ଅଭିଯୁକ୍ତକୁ ଅଟକ ରଖିଛି । ତା’ ନାଁ ସୁଶାନ୍ତ ନାୟକ, ଘର ଶାସ୍ତ୍ରୀନଗର ବୋଲି ଜଣାପଡିଛି । ମିଳିଥିବା ରିପୋର୍ଟ ଅନୁସାରେ, ମିଲି ସାହୁ ନାମକ ଜଣେ ଟ୍ରାଫିକ କନଷ୍ଟେବଳଙ୍କ ସହ ହୋମଗାର୍ଡ ଏକକେ ତ୍ରୀପାଠି ଡ୍ୟୁଟି କରୁଥିଲେ । ହଠାତ ନିକୋ ପାର୍କ ଆଡୁ ଆସୁଥିବା ସୁଶାନ୍ତ ଟ୍ରାଫିକ ସିଗ୍ନାଲକୁ ବେଖାତିର କରି ଆଗକୁ ମାଡି ଯାଇଥିଲେ । ଯାହାର ପ୍ରତିବାଦ କରିଥିଲେ ଟ୍ରାଫିକ କନଷ୍ଟେବଳ ମିଲି ।
ତେବେ ଅତ୍ୟଧିକ ନିଶାରେ ଥିବା ସୁଶାନ୍ତ ମିଲିଙ୍କ ହାତକୁ ମୋଡି ଦେବା ସହ ତାଙ୍କ ୱାକିଟକିକୁ ଫିଙ୍ଗି ଦେଇଥିବା ପୁଲିସ ସୂଚନା ଦେଇଛି । କେବଳ ଏତିକି ନୁହେଁ ଟ୍ରାଫିକ ପୁଲିସ ମିଲିଙ୍କୁ ଅସଦାଚଣର କରି ବିଚ ରାସ୍ତାରେ ସୁଶାନ୍ତ କିଛି ସମୟ ରୋବାବ ଦେଖାଇଥିଲେ । ପରେ ପିସିଆର ଭ୍ୟାନ ପହଞ୍ଚି ସୁଶାନ୍ତଙ୍କୁ କାବୁ କରିବା ସହ ଥାନାକୁ ଆଣିଥିଲେ । ଟ୍ରାଫିକ କନଷ୍ଟେବଳ ମିଲିଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରିବା ସହ ସୁଶାନ୍ତକୁ ଗିରଫ କରିଛି ।