ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସେଦିନ ଥିଲା ୧୯୯୯ ମସିହା, ଅକ୍ଟୋବର ୨୯ ତାରିଖ, ଶୁକ୍ରବାର । ଅଚାନକ୍ ସୁ ସୁ ଗର୍ଜନ କରି ମାଡି ଆସିଲା ପବନ । ଘଣ୍ଟା ପ୍ରତି ୨୯୦ କିମି ବେଗରେ ବହିଯାଉଥିଲା । ଆଉ ଭାଙ୍ଗି ପକାଉଥିଲା ଘର ଦ୍ୱାର ଏବଂ ଉପାଡି ପକାଉଥିଲା ବିଶାଳକାୟ ଗଛ । ଲୋକେ ନିଜର ଜୀବନ ବଞ୍ଚାଇବା ଆଶାରେ ସ୍ଥାୟୀ ଜାଗାକୁ ଧାଇଁ ଯାଉଥିଲେ ।
ପବନ ସାଙ୍ଗକୁ ବର୍ଷାର ମୂଷଳଧାର ଲୋକଙ୍କୁ କଲବଲ କରିପକାଉଥିଲା । ନଦୀର ପ୍ରଖର ସୁଅରେ ଭାସିଯାଉଥିଲେ ମଣିଷ ସମେତ ଜୀବଯନ୍ତୁ । ଏଥିରେ ଚାଲିଯାଇଥିଲା ୧୦ ହଜାରରୁ ଅଧିକ ଲୋକଙ୍କ ଜୀବନ । ଯାହାର କରାଳ ରୂପ ଆଜି ବି ମନେପଡେ । ଆଜି ସେହି ପ୍ରଳୟଙ୍କାରୀ ମହାବାତ୍ୟାକୁ ପୁରିଛି ୨୩ ବର୍ଷ । ବର୍ଷ ବିତିଯାଇଛି ହେଲେ ମନରୁ କ୍ଷତ ଆଜି ବି ଲିଭିନି । ଅଲିଭା ହୋଇ ରହିଯାଇଛି ସେଦିନର ସେହି କ୍ଷତ ।