ଭୁବନେଶ୍ୱର,(ଏଟିଆର ବ୍ୟୁରୋ) : ଢ଼େରଦିନର ସ୍ୱପ୍ନ ଶେଷରେ ସତ ହେଲା । ଉଦଘାଟିତ ହୋଇଛି ଗୁରୁପ୍ରିୟା ସେତୁ । ଯାହା ମାଲାକାନାଗିରି ଜିଲ୍ଲା ବିଚ୍ଛିନାଞ୍ଚଳବାସୀଙ୍କ ବହୁ ଦିନର ସ୍ୱପ୍ନ ଥିଲା । ମାଓବାଦୀଙ୍କ ଧମକକୁ ଖାତିର ନକରି ସରକାର ଯେଉଁ ସାହାସର ପରିଚୟ ଦେଇଛନ୍ତି ତାହାର ଫଳସ୍ୱରୂପ ଏହି ଗୁରୁପ୍ରିୟା ସେତୁ ଆଜି ଠିଆ ହୋଇଛି । ଖୋଦ୍ ମୁଖ୍ୟମନ୍ତ୍ରୀ ଆଜି ଏହି ଗୁରୁପ୍ରିୟା ସେତୁକୁ ଉଦଘାଟନ କରିଛନ୍ତି । ଏହି ସେତୁର ନିର୍ମାଣରେ ମୋଟ ୧୮୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି । ସେତୁଟିର ଲମ୍ବ ୯୧୦ ମିଟର ରହିଛି । ଏହି ସେତୁ ହେବା ପରେ ୮ଟି ପଞ୍ଚାୟତର ମୋଟ ୧୫୧ଟି ଗାଁ ଲୋକ ଉପକୃତ ହୋଇଛନ୍ତି ।
୧୯୭୨ମସିହାରେ ବାଲିମେଳା ଜଳବିଦ୍ୟୁତ ଯୋଜନା ହେବା ଫଳରେ ଚିତ୍ରକୋଣ୍ଡା ଜଳ ଭଣ୍ଡାର ସୃଷ୍ଟି ହୋଇଥିଲା । ଯାହାଦ୍ୱାରା ୩୫ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଥିଲେ । ଏବେ ଏହି ସେତୁ ଦ୍ୱାରା ଏଠାରେ ଗଡିବ ୧୦୮ ଓ ୧୦୨ ଆମ୍ବୁଲାନ୍ସ । ରିପୋର୍ଟ କହୁଛି ୧୯୮୨ରେ ପ୍ରଥମ କରି ୮କୋଟି ଟଙ୍କା ବ୍ୟୟରେ ଏକ ଝୁଲାପୋଲ ନିର୍ମାଣ କରିବାକୁ ଯୋଜନା ହୋଇଥିଲା । ସେତେବେଳର ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏନେଇ ମଧ୍ୟ ସେଠାରେ ଶିଳାନ୍ୟାସ କରିଥିଲେ । ହେଲେ ଏହା ବାସ୍ତବ ରୂପ ନେଇ ପାରିନଥିଲା । ତେବେ ସେ ଯାହାହେଉ ୪୫ବର୍ଷ ପରେ ଆଜି ଏହି ସେତୁ ବାସ୍ତବ ରୂପ ନେଇଛି ।