ଢ଼େଙ୍କାନାଳ,(ଏଟିଆର ବ୍ୟୁରୋ): ରାଜ୍ୟ ସରକାରଙ୍କ ‘ବିକାଶ’ର ଆଉ ଏକ ନଗ୍ନ ଚିତ୍ର ସାମ୍ନାକୁ ଆସିଛି । ଯାହା ସରକାରଙ୍କ ଆଉ ଏକ ଭାଣ୍ଡାମିକୁ ପଦାରେ ପକାଇଛି । ଏଥରକ ମାଲାକାନାଗିରି କି’ କଳାହାଣ୍ଡି ନୁହେଁ ବରଂ ଘଟଣା ଘଟିଛି ଢ଼େଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଅଞ୍ଚଳରେ ।
ଯେଉଁଠି ଜଣେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୁହାଯାଉଥିବା ଦୃଶ୍ୟ ସମସ୍ତଙ୍କୁ ବ୍ୟଥିତ କରିଛି । ଖରାପ ରାସ୍ତା ଯୋଗୁ ଗାଁକୁ ଆସିବା ଲାଗି କୁନ୍ଥ କୁନ୍ଥ ହେଲା ଆମ୍ବୁଲାନ୍ସ । ଫଳସ୍ୱରୂପ ଉପାୟ ଶୂନ୍ୟ ହୋଇ ଲୋକେ ବାଧ୍ୟ ହୋଇ ଖଟିଆରେ ଗର୍ଭବତୀ ମହିଳାଙ୍କୁ ଆଣିଥିଲେ । ରିପୋର୍ଟ ଅନୁସାରେ,କାଇମାଟି ଗାଁର ସାକାର ଚାତରଙ୍କ ପତ୍ନୀ ରଶ୍ମିତାଙ୍କର ଗତକାଲି ଯନ୍ତ୍ରଣା ହୋଇଥିଲା । ଏଥିପାଇଁ ଆମ୍ବୁଲାନ୍ସ ଡକାଯାଇଥିଲା ।
ତେବେ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆଉ ଆସି ପାରିନଥିଲା । ସେପଟେ ଯନ୍ତ୍ରଣାରେ ଛଟପଟ ହେଉଥିବା ରଶ୍ମିତାକୁ ଦେଖି ଲୋକେ ବାଧ୍ୟ ହୋଇ ଖଟିଆର ସହଯୋଗ ନେଇଥିଲେ । ପାଖାପାଖି ୩କିମି ପର୍ଯ୍ୟନ୍ତ ରଶ୍ମିତାଙ୍କୁ ଖଟିଆରେ ବୁହାଯାଇଥିବା ଜଣାପଡିଛି । ଏହାପରେ ତାଙ୍କୁ ଆମ୍ବୁଲାନ୍ସରେ ମହାବିରରୋଡ ଡାକ୍ତରଖାନାକୁ ନିଆଯାଇଥିଲା ।