ପୁରୀ (ଏଟିଆର ବ୍ୟୁରୋ): ଆସନ୍ତା ନୂଆବର୍ଷରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପୋଷାକ ପରିଧାନ ନେଇ କଡାକଡି ଭାବେ ଲାଗୁ ହେବାକୁ ଯାଉଛି ନୂଆ ନିୟମ । ଏବେଠୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସଚେତନତା କରାଯାଉଛି । ସବକମିଟି ବୈଠକରେ ଏହି ପ୍ରସ୍ତାବ ଅନୁମୋଦନ କରାଯାଇଛି । କୁହାଯାଇଛି କି ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଆସୁଥିବା ଭକ୍ତଗଣ ଶଳୀନତାପୂର୍ଣ୍ଣ ପୋଷାକ ପରିଧାନ କରି ଆସିବା ବାଞ୍ଛନୀୟ ।
ଏଥିପାଇଁ କୈଣସି ନିର୍ଦ୍ଦିଷ୍ଟ ପୋଷାକ ତାଲିକା ଧାର୍ୟ୍ୟ କରାଯାଇ ନଥିଲେ ମଧ୍ୟ ପୁରୁଷମାନେ ପ୍ୟାଣ୍ଟ ସାର୍ଟ, ଚୁଡ଼ିଦାର ପଞ୍ଜାବୀ, ଧୋତି, ପାରମ୍ପରିକ ପୋଷାକ ପରିଧାନ କରିବେ । ସେହିଭଳି ମହିଳାମାନେ ଶାଢ଼ୀ, ସାଲୱାର କମିଜ୍, ପାରମ୍ପରିକ ପୋଷାକ ପିନ୍ଧି ପାରିବେ । ହେଲେ ହାଫ୍ ପ୍ୟାଣ୍ଟ, ଚିରାଫଟା ଜିନ୍ସ, ଅନାବଶ୍ୟକ ଅଙ୍ଗ ପ୍ରଦର୍ଶନ କରୁଥିବା ପୋଷାକ ଏବଂ ଧାର୍ମିକ ଭାବନାକୁ କୁଠାରଘାତ କରୁଥିବା ପୋଷାକ ପିନ୍ଧିବା ମନା ।