ଭୁବନେଶ୍ୱର (ଏଟିଆର ବୁୃରୋ): ଚାଲିଛି ମାର୍ଗଶୀର ମାସ । ଏହିମାସରେ ପ୍ରତି ଗୁରୁବାର ଓଷା ପାଳନ କରାଯାଏ । ଯାହାକୁ ମାଣବସା ଓଷା ବୋଲି କୁହାଯାଏ । ଆଜି ଦ୍ୱିତୀୟ ପାଳି ମାଣବସା ଗୁରୁବାର । ଓଡିଶାର ସମସ୍ତ ପର୍ବ ମଧ୍ୟରୁ ଗୁରୁବାର ଓଷା ଅନ୍ୟତମ । ବ୍ରାହ୍ମଣଠୁ ନେଇ ଚଣ୍ଡାଳ ଯାଏଁ ସମସ୍ତଙ୍କ ଘରେ ଏହି ଓଷା କରାଯାଇଥାଏ । ଏହି ଓଷାର ଇଷ୍ଟଦେବୀ ହେଉଛନ୍ତି ଧନଦାତ୍ରୀ ମା ଲକ୍ଷ୍ମୀ । ସେ ସମସ୍ତ ଲକ୍ଷଣର ଅଧିକାରିଣୀ ।
ମାର୍ଗଶୀର ମାସର ଯେଉଁ ୪ ବା ୫ ଟି ଗୁରୁବାର ମାଣବସାଯାଏ ତାକୁ ମାଣବସା ପାଳି ବୋଲି କୁହାଯାଏ । ମା ଲକ୍ଷ୍ମୀଙ୍କର ପ୍ରିୟ ମାସ ହେଉଛି ମାର୍ଗଶୀର । ଏହି ମାସର ମାଣବସା ହୋଇଥାଏ । ସେଥିପାଇଁ ଘର ଦ୍ୱାର ଲିପା ପୋଛା ହୋଇ ପରିଷ୍କାର କରାଯାଏ । ଏହାପରେ ଅରୁଆ ଚାଉଳ ପିଠଉରେ ଲକ୍ଷ୍ମୀପାଦ ଓ ଝୋଟି କଟାଯାଇଥାଏ ।
ଏହାପରେ ଖଟୁଲି ଓ ନୂଆ ମାଣକୁ ଭଲ ଭାବେ ଧୋଇ ସେଥିରେ ଝୋଟି ପକାଯାଏ । ଗୁରୁବାର ଭୋରୁ ଖଟୁଲି ଉପରେ ରଖାଯାଇଥିବା ମାଣରେ ଦେଉଳ ଆକାରର ଧାନ ରଖି ତାକୁ ନୂଆ ବସ୍ତ୍ରରେ ସଜାଯାଇ ଓଣଣୀ ଦେଇ ମା ଲକ୍ଷ୍ମୀକୁ ସଜାଯାଏ । ଏହାସହିତ ମାଲକ୍ଷ୍ମୀଙ୍କ ଫଟୋକୁ ସଜାଇ ସେଥିରେ ସିନ୍ଦୁର, ଫୁଲ, ଚନ୍ଦନଦେଇ ଧୂପଦୀପ ବୁଲାଇ ନୈବେଦ୍ୟ ଦେଇ ପୂଜା କରାଯାଇଥାଏ । ସକାଳୁ ମା ଲକ୍ଷ୍ମୀଙ୍କୁ ଆବାହନ କରିବା ପରେ ଗୋଟିଏ ପରେ ଗୋଟିଏ ପୂଜା ନିଷ୍ଠାର ସହ କରାଯାଇଥାଏ । ସକାଳୁ ନେଇ ସଞ୍ଜ ଯାଏଁ ମାଙ୍କର ଭୋଗ ଲାଗି ହୋଇଥାଏ ।
ଏହି ମାର୍ଗଶୀର ଗୁରୁବାର ବିଷୟରେ ସ୍ୱୟଂ ମା ଲକ୍ଷ୍ମୀ କହିଛନ୍ତି। ମାର୍ଗଶୀର ମାସେ ଯେଉଁ ଆଦ୍ୟ ଗୁରୁବାର ସେଦିନ ଓଷାରୁ ସେଜ ଛାଡି ତତ୍ପର ଗୋମୟ ଜଳରେ ଘର ଦ୍ୱାର ଲିପିବ ଲକ୍ଷ୍ମୀ ଦେବୀ ପାଦ ପଦ୍ମ ଚିତାକୁ ଲେଖିବ। ଅର୍ଥାତ ପ୍ରାତଃ କାଳରେ ଶଯ୍ୟା ତ୍ୟାଗ କରି ତାପରେ ଗୋ ମୟ ଜଳ ଏବଂ ଗୋବରରେ ଘର ଦ୍ୱାର ଲିପା ପୋଛା ଯାଏ।
ଲକ୍ଷ୍ମୀ ପୁରାଣରେ କୁହାଯାଇଛି ମାର୍ଗଶୀର ମାସର ପ୍ରଥମ ଗୁରୁବାର ପାଳିର ପ୍ରାତଃ ସମୟରେ ଏହି ସବୁ କାର୍ୟ୍ୟ କରିବାକୁ କୁହାଯାଇଛି। ମାତ୍ର ସମୟ ଅଭାବରୁ ଗୁରୁବାର ଦିନ ପୂର୍ବରୁ ଏହିସବୁ କର୍ମ କରାଯାଏ।