ପୁରୀ (ଏଟିଆର ବ୍ୟୁରୋ): ଆଜି ପବିତ୍ର ଶ୍ରୀରାମ ନବମୀ । ଏହି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ପ୍ରଭୁ ଶ୍ରୀରାମଚନ୍ଦ୍ର ଜନ୍ମନୀତି । ମଧ୍ୟାହ୍ନ ଧୂପ ପରେ ଜନ୍ମନୀତି ଅନୁଷ୍ଠିତ ହେବ । ଦଶରଥ ଓ କୌଶଲ୍ୟା ହୋଇ ୨ ଜଣ ମହାଜନ ସେବକ ଜନ୍ମବିଧି ପାଳନ କରିବେ ।
ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଜୟବିଜୟା ଦ୍ୱାର ବନ୍ଦ କରାଯାଇ ନୀତି ଅନୁଷ୍ଠିତ କରାଯିବ । ନବମୀ ଦିନ ଜନ୍ମୋତ୍ସବ ପରେ ରାମଲୀଳା ଉତ୍ସବ କରାଯିବାର ବିଧି ରହିଛି ।
ଚୈତ୍ରଶୁକ୍ଳ ଦଶମୀ, ଏକାଦଶୀ, ଦ୍ୱାଦଶୀ, ଚତୁର୍ଦ୍ଦଶୀ, ପୂର୍ଣ୍ଣିମା, ବୈଶାଖ କୃଷ୍ଣ ପ୍ରତିପଦ ଓ ଦ୍ୱିତୀୟା ତିଥିମାନଙ୍କରେ ଯଥାକ୍ରମେ ଯଜ୍ଞରକ୍ଷା, ସୀତାବିବାହ, ବନବାସ, ମାୟାମୃଗ ବଧ, ଲଙ୍କାପୋଡି, ସେତୁବନ୍ଧ, ରାବଣବଧ ଲାଳା ଉତ୍ସବ ପାଳନ କରାଯିବାର ପରମ୍ପରା ରହିଛି ।