ଭୁବନେଶ୍ୱର, (ଏଟିଆର ବ୍ୟୁରୋ): ପୁଣି ଲାଲବାହିନୀର ଆଉ ଏକ ତାଣ୍ଡବ । ଛତିଶଗଡ଼ ଦାନ୍ତେୱାଡାର କମାଲୁର ଷ୍ଟେସନ ନିକଟରେ ଏକ ରେଳ ଧାରଣାକୁ ତାଡି ଦେଇଛନ୍ତି ନକ୍ସଲ । ଯଦିଓ ଏଥିରେ କୌଣସି ଅଘଟଣ ଘଟିନାହିଁ ତଥାପି ଘଟଣାକୁ ନେଇ ପୂରା ଆତଙ୍କ ଖେଳିଯାଇଛି ।
ମିଳିଥିବା ରିପୋର୍ଟ ଅନୁସାରେ, ଏକ ପାସେଞ୍ଜର ଟ୍ରେନ କମାଲୁରରୁ ଦାନ୍ତେୱାଡା ଅଭିମୁଖେ ଯାଉଥିଲା । ଠିକ ଏତିକି ବେଳେ ଟ୍ରାକ ତଡାଯାଇଥିବା ଘଟଣା ସାମ୍ନାକୁ ଆସିଥିଲା । ତେବେ ଟ୍ରେନର ବେଗ କମ ଥିବାରୁ ଅଳ୍ପକେ ଏକ ବଡ଼ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା ଟ୍ରେନ । ଆଉ ରକ୍ଷା ପାଇଯାଇଥିଲା ହଜାରହଜାର ଯାତ୍ରୀଙ୍କ ଜୀବନ ।
ଖାଲି ଏତିକି ନୁହେଁ ମାଲକାନାଗିରି ଚିତ୍ରକୋଣ୍ଡା ଥାନା ପପୁଲୁର ପଞ୍ଚାୟତର କମଳାପଦର ଗାଁର ପୋଷ୍ଟମାଷ୍ଟରଙ୍କୁ ଅତି ନୃଶଂଶ ଭାବେ ହତ୍ୟା କରିଛନ୍ତି । ଘରୁ ଡାକି ହତ୍ୟା କରାଯାଇଥିବା ଜଣାପଡିଛି । ମୃତ ପୋଷ୍ଟମାଷ୍ଟରଙ୍କ ନାଁ ନାରାୟଣ ପୋଲାସି ।
କୁହାଯାଉଛି ରାତି ସାଢ଼େ ୧୧ଟା ବେଳେ ଅଚାନକ ୧୦/୧୫ଜଣ ମାଓବାଦୀ ଆସି ନାରାୟଣଙ୍କୁ ଘରୁ ଡାକିନେଇ ଗୁଳି କରିଛନ୍ତି । ସେପଟେ ଦାନ୍ତେୱାଡାରେ ପୋଡାଜଳା କରିଛନ୍ତି ମାଓବାଦୀ । ବାଚେଲିରେ ୨ଟି ବସ ଓ ଗୋଟିଏ ଟ୍ରକରେ ନିଆଁ ଲଗାଇ ଦେଇଛନ୍ତି ।