ଏଟିଆର ବ୍ୟୁରୋ : ଶେଷରେ ମ୍ୟାଜିକ ନମ୍ବର ସହ ରାଜ୍ୟସଭା ଉପାଧ୍ୟକ୍ଷ ହୋଇଛନ୍ତି ହରିବଂଶ ନାରାୟଣ ସିଂ । ନିଜ ସପକ୍ଷରେ ୧୨୫ ସମର୍ଥନ ଯୋଗାଡ କରିବାରେ ଏନଡିଏ ସକ୍ଷମ ହେବା ପରେ ଆଜି ନିର୍ବାଚନରେ ବିଜୟୀ ହୋଇଛନ୍ତି ଏନଡିଏ ସମର୍ଥିତ ଜେଡିୟୁ ସାଂସଦ ହରିବଂଶ । ୟୁପିଏ ପକ୍ଷରୁ ପ୍ରାର୍ଥୀ ହୋଇଥିବା ବିକେ ହରିପ୍ରସାଦଙ୍କ ସପକ୍ଷରେ ୧୦୫ଟି ଭୋଟ ମିଳିଛି । ଶେଷ ମୁହୁର୍ତ୍ତରେ ହରିବଂଶଙ୍କୁ ବିଜେଡି ସମର୍ଥନ ଘୋଷଣା କରିଥିଲା ।
ପ୍ରଥମ ଦଫା ଭୋଟରେ ୨୦୬ ଖଣ୍ଡ ଭୋଟ ପଡ଼ିଥିଲା । ହରିବଂଶଙ୍କ ସପକ୍ଷରେ ୧୦୫ ଜଣ ଭୋଟ ଦେଇଥିବାବେଳେ ବିପକ୍ଷରେ ୮୯ ଜଣ ଭୋଟ ଦେଇଥିଲେ । ୨ ଜଣ ଅନୁପସ୍ଥିତ ରହିଥିଲେ । ତେବେ କେତେକ ସାଂସଦ ଭୋଟ ଦେଇପାରିନଥିବା ଜଣାପଡ଼ିଥିଲା । ଫଳରେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ ଦ୍ୱିତୀୟ ଥର ଭୋଟିଂ ପ୍ରକ୍ରିୟା ଆରମ୍ଭ କରିଥିଲେ । ଦ୍ୱିତୀୟ ଥର ଭୋଟିଂ ବେଳେ ୨୨୨ ସାଂସଦ ଭୋଟ ଦେଇଥିଲେ । ଯେତେବେଳେକି ୨ ଜଣ ଅନୁପସ୍ଥିତ ରହିଥିଲେ । ଭୋଟିଂରେ ହରିବଂଶଙ୍କ ସପକ୍ଷରେ ୧୨୨ ଖଣ୍ଡ ଭୋଟ ପଡ଼ିଥିବାବେଳେ ବିପକ୍ଷରେ ୯୮ ଖଣ୍ଡ ଭୋଟ ପଡ଼ିଥିଲା ।
ତେବେ ଚୂଡ଼ାନ୍ତ ଫଳାଫଳ ସମ୍ପର୍କରେ ଘୋଷଣା କରି ରାଜ୍ୟସଭା ଅଧ୍ୟକ୍ଷ କହିଲେଯେ, ହରିବଂଶଙ୍କ ସପକ୍ଷରେ ୧୨୫ ଭୋଟ ପଡ଼ିଥିବାବେଳେ ବିପକ୍ଷରେ ୧୦୫ ଭୋଟ ପଡ଼ିଛି । ତେଣୁ ସେ ହରିବଂଶଙ୍କୁ ନିର୍ବାଚିତ ବୋଲି ଘୋଷଣା କରିଥିଲେ ।