ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ନିଜ ମନମାନି ଚଳାଇଥିଲେ । ପୁଲିସକୁ ଚକମା ଆଉ ଅବକାରୀ ବିଭାଗକୁ ଭକୁଆ ବନାଉଥିଲେ । ସମସ୍ତଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ବେଧଡକ ବେଆଇନ କାର୍ଯ୍ୟ କରୁଥିଲେ । ତେବେ ଏନେଇ ଖବର ପ୍ରକାଶ ପାଇବା ପରେ ଏବେ ସେମାନେ ଚିହିଁକି ଉଠିଛନ୍ତି । ଖବର ଚପାଇବାକୁ ଯେନତେନ ପ୍ରୟାସ କରୁଛନ୍ତି । କାହାକୁ ଟଙ୍କାର ପ୍ରଲୋଭନ ତ’ ପୁଣି କାହାକୁ ହତ୍ୟା ଧମକ ଦେଇ ନିଜ କଳାକାରନାମା ଚପାଇବାକୁ ଏବେ ସେମାନେ ଜୋରଦାର ଚେଷ୍ଟା କରୁଛନ୍ତି ।
ହଁ, ଆମେ କହୁଛୁ ରାଜଧାନୀରେ ଚାଲିଥିବା ବେଆଇନ ଡ୍ୟାନ୍ସବାର କଥା । ଯେଉଁମାନେ ସବୁ ସୀମା ଡେଇଁ ଯାଇଛନ୍ତି । ରାସ୍ତାରେ ଯାଉଥିବା ବେଳେ ସାମ୍ବାଦିକ ସଂଘର ସଭାପତିଙ୍କୁ ହତ୍ୟା ଧମକ ଦେବାକୁ ପଛାଇ ନାହାନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମଞ୍ଚେଶ୍ୱର ଥାନା ପେଟ୍ରୋଲ ପମ୍ପ ପାଖରେ । ଏକାଧିକ ବାର ମାଲିକଙ୍କ ପୋଷା ଗୁଣ୍ଡା ଏଭଳି କାଣ୍ଡ ଭିଆଇଛନ୍ତି । ଖୁବ ଶୀଘ୍ର ଏନେଇ ଡିସିପିଙ୍କ ନିକଟରେ ଅଭିଯୋଗ କରାଯିବ ବୋଲି ସଘଂ ପକ୍ଷରୁ ସୂଚନା ମିଳିଛି ।
ରିପୋର୍ଟ ଅନୁସାରେ, ରାଜଧାନୀରେ ରହିଛି ଛତୁ ଫୁଟିଲା ପରି ଡ୍ୟାନ୍ସ ବାର । ଯେଉଁମାନେ କି’ ଆଇନକାନୁନର ପୂରା ଧଜିଆ ଉଡାଉଛନ୍ତି । ଦେଶୀ ଓ ବିଦେଶୀ ଯୁବତୀଙ୍କୁ ଆଣି ଏଠି ଅନୈତିକ କାର୍ଯ୍ୟରେ ଲଗାଉଛନ୍ତି । ଏ କଥା ଆମେ ନୁହେଁ ବରଂ କମିଶନରେଟ ପୁଲିସର ରେକର୍ଡ କହୁଛି । କିଛିଦିନ ତଳେ କ୍ୟାପିଟାଲ ଥାନା ପୁଲିସ ଏକ ବାର ଉପରେ ଚଢ଼ାଉ କଲା ବେଳେ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା ।
କେବଳ ଏତିକି ନୁହେଁ ସେପଟେ ଆଇନ କହୁଛି ବାରରେ କୌଣସି ଯୁବତୀ ଡ୍ୟାନ୍ସ କରିପାରିବେ ନାହିଁ କି’ ସେମାନଙ୍କ ଉପରେ କେହି ଟଙ୍କା ଉଡାଇବେ ନାହିଁ । ହେଲେ ସରେଆମ ଆଉ ଭରା ପବ୍ଲିକରେ ଏହି ଆଇନର ଧଜିଆ ଉଡାଉଛନ୍ତି ବାର ମାଲିକମାନେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ବାର ଖୋଲି ମୋଟା ଅଙ୍କର ଟଙ୍କା ଉଠାଉଛନ୍ତି । ସବୁଠୁ ବଡ଼ କଥା ହେଉଛି ଏହାରି ଭିତରେ ଗ୍ରାହକଙ୍କୁ ଝିଅଙ୍କୁ ଯୋଗାଇ ଦେବାର ଡିଲ ମଧ୍ୟ କରାଯାଉଛି । ତେବେ ଏଭଳି ସଂଗିନ ଅଭିଯୋଗ ଆଉ ପ୍ରମାଣ ମିଳୁଥିଲେ ବି ସେତେଟା ପଦକ୍ଷେପ ନେଉନାହିଁ ପୁଲିସ ।
ଖାଲି ଲୋକ ଦେଖାଣିଆ ଭାବେ ଚଢ଼ାଉ କରି ଉଚ୍ଚ କର୍ତ୍ତୃପକ୍ଷଙ୍କ ସହାନୁଭୁତି ସାଉଁଟୁଛନ୍ତି । ଯାହାର ପ୍ରମାଣ ହେଉଛି ଲକ୍ଷ୍ମୀସାଗର ଥାନା ପୁଲିସ ଚଢ଼ାଉ କରିଥିବା ହୋଟେଲ ପେଣ୍ଟାଗୁନ କଥା । ରାତି ୧୨ଟା ପରେ ସେଠାରେ ଡ୍ୟାନ୍ସ ଚାଲିଥିବା ବେଳେ ପୁଲିସ ରେଡ ମାରିଥିଲା । ହେଲେ ପ୍ରଶ୍ନ ଉଠୁଛି କେଉଁ କାରଣରୁ ଓ କାହା ସ୍ୱାର୍ଥରେ ହୋଟେଲ ଉପରେ କାର୍ଯ୍ୟାନୁଷ୍ଠାନ ବେଳକୁ ଚୁପ ରହିଲା ପୁଲିସ? କାହିଁ ଏମିତି ନୁହେଁ ତ’ ମୋଟା ଅଙ୍କର କାରବାର ପୁଲିସ ମୁହଁ ବଙ୍କା କରିଦେଇଛି?
ଏଭଳି ତମାମ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି । ତୁରନ୍ତ ବିଭାଗୀୟ ଅଧିକାରୀ ଘଟଣା ସମ୍ପର୍କରେ ଦୃଷ୍ଟି ଦେବାକୁ ଦାବି ହୋଇଛି । ନଚେତ ଦିନ ଆସିବ ସତ ଲେଖି ଘଟଣା ସାମ୍ନାକୁ ଆଣୁଥିବା ସାମ୍ବାଦିକ ଜଣଙ୍କ ଅଯଥାରେ ଏହି ବାରମାଲିକଙ୍କ ବେଆଇନ କାର୍ଯ୍ୟରେ ବଳି ପଡିଯିବ ।