ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କେରଳ ବିମାନ ଦୁର୍ଘଟଣାରେ ରେସ୍କ୍ୟୁ ଅପରେସନ୍ ଶେଷ ହୋଇଛି । ଦୁଇ ପାଇଲଟ ସମେତ ୧୮ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେହିପରି ୧୭୦ ଆହତ ଅବସ୍ଥାରେ ଲୋକଙ୍କୁ ଉଦ୍ଧାର କରାଯାଇଛି । ଆହତଙ୍କୁ ଚିକିତ୍ସା କରିବା ଲାଗି ମଲ୍ଳପୁରମ ଏବଂ କୋଝିକୋଡର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏୟାର ଇଣ୍ଡିଆ ବିମାନ (ଆଇଏକ୍ସ-୧୩୪୪) ରେ ୧୯୦ ଯାତ୍ରୀ ଯାତ୍ରା କରିଥିଲେ । ଯେଉଁମାନଙ୍କ ମଧ୍ୟରେ ୧୭୪ ଜଣ ବୟସ୍କ ଯାତ୍ରୀ ଥିବା ବେଳେ ୧୦ ଜଣ ଶିଶୁ , ୪ ଜଣ କେବିନ କ୍ରୁ ଏବଂ ଦୁଇ ଜଣ ପାଇଲଟ ଥିଲେ । ପ୍ରବଳ ବର୍ଷା ଯୋଗୁଁ ଗତକାଲି ସନ୍ଧ୍ୟା ୭ ଟା ୪୧ରେ ବିମାନଟି କୋଝିକୋଡ ବିମାନବନ୍ଦରରେ ଖସିଯାଇ ଦୁଇ ଖଣ୍ଡ ହୋଇଯାଇଛି ।
କେରଳ ବିମାନ ଦୁର୍ଘଟଣାର ଅନେକ କାରଣ ହୋଇପାରେ, ଯେଉଁଥିରେ ସବୁଠାରୁ ବିପଦପୂର୍ଣ୍ଣ ରନୱେ । ସାଧାରଣତଃ ରନୱେର ମଝିରେ ଲାଇଟ ରହିଥାଏ । ଯାହାକୁ ସେଣ୍ଟର ଲାଇଟ କୁହାଯାଏ । ଏହାଦ୍ୱାରା ରାତି ସମୟରେ ଲ୍ୟାଣ୍ଡିଂ କଲା ବେଳେ ରନୱେରେ ନଜର ରହିଥାଏ । କିନ୍ତୁ ଏହି ରନୱେରେ ସେଣ୍ଟର ଲାଇଟ ନଥିଲା ।
ଏହାସହିତ ଖରାପ ମୌସୁମୀ ଯୋଗୁଁ ରନୱେରେ ଠିକ୍ ଭାବେ ଦେଖାଯାଇନଥାଏ, ଯାହାଫଳରେ ଦୁର୍ଘଟଣାର ସମ୍ଭାବନା ରହିଥାଏ । ଗୁରୁବାର ଦିନ କୋଝିକୋଡରେ ପ୍ରବଳ ବର୍ଷା ହେଉଥିଲା ଏବଂ ପାଗ ବହୁତ ଖରାପ ଥିଲା । କୁହାଯାଉଛି କି ସେଥିପାଇଁ ଏୟାର ଇଣ୍ଡିଆ ଏକ୍ସପ୍ରେସ ସଠିକ୍ ଭାବେ ଲ୍ୟାଣ୍ଡିଂ ହୋଇ ପାରିନଥିଲା ଖସିଯାଇଥିଲା ।