ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ଜାରି ରହିଛି କରୋନା ପ୍ରକୋପ । ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ସେହିଅନୁଯାୟୀ ଗଣତନ୍ତ୍ର ଦିବସ ପରେଡ ୨୦୨୧ ରେ ଅନେକ ପରିବର୍ତ୍ତନ କରିଛନ୍ତି କେନ୍ଦ୍ରସରକାର । ଯାହାଫଳରେ ପରେଡ ରେ ଅଧିକ ଭିଡ ହେବ ନାହିଁ ଏବଂ ସାମାଜିକ ଦୂରତା ସୁନିଶ୍ଚିତ ହୋଇପାରିବ । ପ୍ରଥମ ଥର ପାଇଁ ଇତିହାସରେ ଏଭଳି ହେବାକୁ ଯାଉଛି ଗଣତନ୍ତ୍ର ଦିବସ ପରେଡ ଲାଲକିଲାରେ ହେବ ନାହିଁ । ପରେଡର ଶୁଭାରମ୍ଭ ବିଜୟ ଚୌକ ରୁ ଆରମ୍ଭ ହେବ ଏବଂ ନେସନାଲ ଷ୍ଟାଡିୟମରେ ଶେଷ ହେବ । ପରେଡର ଦୂରତାକୁ ମଧ୍ୟ କମ କରିଦିଆଯାଇଛି । ଯାହା ପୂର୍ବରୁ ୮.୨ କିମି ରହିଥିଲା ତାହା ଏବେ ୩.୩ କିମି କରାଯାଇଛି ।
ନୂତନ ପ୍ରୋଟୋକଲ ଅନୁସାରେ, ମାର୍ଚ୍ଚ କରୁଥିବା ଏବଂ ପରେଡରେ ଅଂଶଗ୍ରହଣ କରିଥିବା ଲୋକଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଏହାସହିତ ପରେଡ କରୁଥିବା ଦଳ ସଂଖ୍ୟା ମଧ୍ୟ କମ କରାଯାଇଛି । ପ୍ରତ୍ୟେକ ଦଳରେ ୧୪୪ ସଦସ୍ୟଙ୍କ ବଦଳରେ ୯୬ ପ୍ରତିଯୋଗୀ ରହିବେ । ସେହିପରି ଦର୍ଶକଙ୍କ ସଂଖ୍ୟାକୁ ୧, ୧୫,୦୦୦ ରୁ ହ୍ରାସ କରି ୨୫ ହଜାର କରାଯାଇଛି । ଅନ୍ୟପଟେ ୧୫ ବର୍ଷରୁ କମ ବୟସର ଶିଶୁଙ୍କୁ ପ୍ରବେଶ ପାଇଁ ଅନୁମତି ନାହିଁ । ଏହାସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ସଂଖ୍ୟା ମଧ୍ୟ କମ କରାଯାଇଛି । ମହାମାରୀ କରୋନାକୁ ରୋକିବା ପାଇଁ ଏହି ନିୟମମାନ ଜାରି କରାଯାଇଛି ।