ବାରିପଦା(ଏଟିଆର ବ୍ୟୁରୋ): ଗାଡି ଚେକିଂ ବେଲେ ଏସଆଇଙ୍କୁ ଧକ୍କା ଦେଲା ବାଇକ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ଅଞ୍ଚଳରେ । ସୁଚନା ଅନୁସାରେ ଗତକାଲି ରାତିରେ ବାରିପଦା ୟୁନିଭର୍ସିଟି ରୋଡରେ ଗାଡି ଚେକିଂ ହେଉଥିଲା । ବିନା ହେଲମେଟ ଓ ମଦ ପିଇ ଗାଡି ଚଳାଉଥିବା ଚାଳକଙ୍କୁ ଅଟକାଇ ଫାଇନ ଆଦାୟ କରାଯାଉଥିଲା । ଏହି ସମୟରେ ଜଣେ ଯୁବକ ବିନା ହେଲମେଟ ପିନ୍ଧି ଗାଡି ଚଳାଇ ଯାଉଥିଲେ । ତେବେ ବାଇକ ଚାଳକଙ୍କୁ ଅଟକାଇ ବାକୁ ଯାଇ ଏସଆଇ ଦୟାନିଧୀ ଦାସ ତାଙ୍କୁ ହାତ ଦେଖାଇଥିଲେ । ହେଲେ ଚାଳକ ଜଣଙ୍କ ନ ଅଟକି ସେଠାରୁ ଖସି ପଳାଇବାକୁ ଚେଷ୍ଟା କରିଥିଲେ ।
ଫଳରେ ଭାରସାମ୍ୟ ହରାଇ ବାଇକ ଚାଳକ ଜଣଙ୍କ ଦୟାନିଧୀଙ୍କ ଦେହରେ ବାଇକଟିକୁ ଧକ୍କା କରି ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ରଘୁନାଥ ମୁର୍ମୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ଏସଆଇ ଦୟାନିଧୀଙ୍କ ଶବ ବ୍ୟବଚ୍ଛେଦ ପରେ ବାରିପଦା ପୋଲିସ ରିଜର୍ଭ ପଡିଆ ଠାରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯିବ । ପୋଲିସ ବାଇକ ଚାଳକଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି ।